jayashree

ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ

ବୌଦ୍ଧ/ବଘିଆପଡା : ବଘିଆପଡା ଫରେଷ୍ଟ ସେକ୍ସନର ଖଲିଆପାଲି ଛକ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଫଳରେ ଦୁଇ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ବନ କର୍ମଚାରୀମାନେ ହେଲେ ସରଣ୍ଡା ଗ୍ରାମର ନିଳାଚଳ ପ୍ରଧାନ ଓ ବଡବାଗବର ଗ୍ରାମର ନବ କିଶୋର ସାହୁ ।

ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଏସିଏଫ୍‌ ଆଶିଷ କହଁର, ଜଣେ ଫରେଷ୍ଟର ଓ ଚାରିଜଣ ଜଗୁଆଳିଙ୍କୁ ଧରି ବଘିଆପଡା ସେକ୍ସନରେ ପାଟ୍ରୋଲିଂ କରୁଥିବା ସମୟରେ ଖଲିଆପାଲି ଛକ ନିକଟରେ କିଛି ଦୁର୍ବୃତ୍ତ ବନ୍ଧୁକ ଧରି ସେମାନଙ୍କ ଗାଡିକୁ ଅଟକାଇଥିଲେ । ଗାଡି ନ ରଖି ସେଠାରୁ ପଳାଉଥିବା ଦେଖି ଦୁର୍ବୃତ୍ତମାନେ ଗାଡି ପଛ ପଟକୁ ଗୁଳିଚାଳନା କରିଥିଲେ । ଫଳରେ ଗାଡିର ପଛରେ ବସିଥିବା ଜଗୁଆଳି ନିଳାଚଳ ପ୍ରଧାନଙ୍କ ହାତରେ ଓ ନବ କିଶୋର ସାହୁଙ୍କ ପିଠିରେ ଗୁଳି ବାଜିଥିଲା । ଦୁର୍ବୃତ୍ତମାନେ ପ୍ରାୟ ଏକ କିଲୋମିଟର ପର୍ୟ୍ୟନ୍ତ ଗାଡିର ପିଛା କରିଥିଲେ । ବନ ବିଭାଗର ଗାଡି ବାଉଁଶୁଣୀ ଦେଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା । ଖବର ପାଇ ଡିଏଫ୍‌ଓ ଦେବପ୍ରିିୟ କମ୍ପ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ । ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ଭାବରେ ଗଞ୍ଜେଇ ଧରା ଯାଉଛି । ସେଥିପାଇଁ ଗଞ୍ଜେଇ ମାଫିଆମାନେ ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.