
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର ମହାନଗର ନିଗମର (ବିଏମ୍ସି) ଏକାମ୍ର ସଭା ଗୃହରେ ଗତକାଲି ପୂର୍ବାହ୍ନରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପାଇଛନ୍ତି ଡେପୁଟି କମିଶନର ତଥା ମେୟରଙ୍କ ସଚିବ କମଳାକାନ୍ତ ବେହେରା । ବିଏମ୍ସିରେ ଦୀର୍ଘ ତିନି ବର୍ଷ ଧରି କାର୍ଯ୍ୟ କରିବା ପରେ ସରକାରୀ ପ୍ରକ୍ରୀୟାରେ ତାଙ୍କର ବଦଳି ହୋଇଛି । ଶ୍ରୀ ବେହେରା ଗତ ୨୮-୦୩-୨୦୨୦ରେ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ଭାବେ ବିଏମ୍ସିରେ ଯୋଗଦେଇ ବିଭିନ୍ନ ପଦବୀରେ କାର୍ଯ୍ୟକରି ଆସିଥିଲେ । ଏହି ଉଦେଶ୍ୟରେ ତାଙ୍କର ବଦଳି ଜନିତ ବିଦାୟ ସମ୍ବର୍ଦ୍ଧନା ନିମନ୍ତେ ଗତକାଲି ଏକ ସ୍ୱତନ୍ତ୍ର ବୈଠକରେ ମାନ୍ୟବର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, କମିଶନର ବଜୟ ଅମୃତା କୁଲାଙ୍ଗେଙ୍କ ସମେତ ସମସ୍ତ କର୍ପୋରେଟର ଓ ପଦାଧିକାରୀ ଉପସ୍ଥିତ ଥିଲେ । କର୍ପୋରେସନ ଓ ପ୍ରଶାସନ ମଧ୍ୟରେ ଦୃଢ ସଂପର୍କ ଏବଂ ସହଯୋଗୀପୂର୍ଣ୍ଣ ବାତାବରଣ ସୃଷ୍ଟି କରି ସରକାରଙ୍କ ନିୟମ ମୁତାବକ ଉଦିଷ୍ଟ କାର୍ଯ୍ୟ ସଂପାଦନ କରିବାରେ ସିଦ୍ଧହସ୍ତ ଥିଲେ ଶ୍ରୀ ବେହେରା । କୌଣସି ସମୟରେ ସରକାରୀ ପ୍ରକ୍ରିୟା କ୍ଷୂର୍ଣ୍ଣ ନହେବା, କର୍ପୋରେସନର ମନ୍ତବ୍ୟକୁ ବୁଝାମଣାର ସହିତ ତୁଲାଇବା, କୌଣସି ପ୍ରକାର ଅଭିଯୋଗକୁ ତୀବ୍ର ହେବାକୁ ନ ଦେବା ଏବଂ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଏହା ସମାଧାନ କରିବାରେ ସେ ବେଶ ପାରଙ୍ଗମ ଥିଲେ । ଏହିପରି କାର୍ଯ୍ୟଶୈଳୀ ତାଙ୍କର ଦକ୍ଷତା ଏବଂ ସହନଶୀଳତାର ପରିଚୟ ଦେଇଛି ବୋଲି କହିଛନ୍ତି ମାନ୍ୟବର ମେୟର । ଘରୋଇ ଏବଂ ସାମାଜିକ ଚାପ ରହିଥିଲେ ମଧ୍ୟ ଆମର ବିଦାୟୀ ଡେପୁଟି କମିଶନର କେବେବି ନିଜ କାର୍ଯ୍ୟରୁ ଓହରି ନାହାଁନ୍ତି । ଏହା ତାଙ୍କର ପ୍ରଶାସନିକ ଏବଂ ପେଶାଦାର ପଣିଆକୁ ଉଲ୍ଲେଖ କରୁଛି । କର୍ପୋରେସନରେ ସାମିଲ ହୋଇ ବ୍ୟକ୍ତିଗତ ଭାବେ କର୍ପୋରେଟର ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଧିକାରୀଙ୍କୁ ଯୋଗାଯୋଗ କରିବା ଏବଂ ମତ ନେଇ ସମସ୍ୟାର ତୁରନ୍ତ ସମାଧାନ କରୁଥିଲେ । ଏଠାରେ ସେ କର୍ପୋରେସନ ଏବଂ ପ୍ରଶାସନ ମଧ୍ୟରେ ଯୋଗସୂତ୍ର ରହିଥିବା ବେଳେ ବର୍ତ୍ତମାନର ନୂଆ ଦାୟିତ୍ୱରେ ଓଡିଶା ଏବଂ ଦିଲ୍ଲୀ
ମଧ୍ୟରେ ଯୋଗସୂତ୍ର ରହିବ ବୋଲି କହିଛନ୍ତି କମିଶନର । ତାଙ୍କର କାର୍ଯ୍ୟଶୈଳୀ ପାଇଁ ନୂଆକରି ମିଳିଥିବା ପଦବୀକୁ ଭଲରେ ଚଳାଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
କୋଭିଡ ସମୟରେ ଆବଶ୍ୟକତା ଦୃଷ୍ଟିରୁ ଅଣାଯାଇଥିବା କେତେକ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ଜନୈକ ଅଧିକାରୀ ଥିଲେ ଶ୍ରୀ ବେହେରା । ବିଶେଷ କରି ଆକାଉଂଟସରେ ତାଙ୍କର ପାରଦର୍ଶୀତା ପାଇଁ କୋଭିଡ ଭଳି ଜରୁରୀ ପରିସ୍ଥିତିରେ ଏହାର ପରାଚାଳନା ଏବଂ ଟିପ୍ଣୀ ପାଇଁ ତାଙ୍କର ସହଯୋଗ ଆମର କାର୍ଯ୍ୟକୁ ଆଗେଇ ନେଇଥିଲା ବୋଲି କହିଛନ୍ତି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ । ଯଦିଓ ମୁଁ ମୋର ଦାୟିତ୍ୱ ତୁଲାଇଛି ଏବଂ ଏହା ବିଏମ୍ସି ପାଇଁ ସୁଫଳ ଦେଇଛି, ତାହା କେବଳ ମୋର କର୍ତ୍ତବ୍ୟ ; ଆପଣମାନଙ୍କର ସନ୍ତୁଷ୍ଟି ପାଇଁ ମୁଁ ବଧେଇ ଜଣାଉଛି ଏବଂ ଆଗାମୀ ଦାୟିତ୍ୱମାନଙ୍କରେ ମୁଁ ମୋର କର୍ତ୍ତବ୍ୟ ପାଳନରୁ ବିରତ ହେବି ନାହିଁ ବୋଲି କହିଛନ୍ତି ବିଦାୟୀ ଅଧିକାରୀ ଶ୍ରୀ ବେହେରା ।
ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀ ବେହେରାଙ୍କୁ ବିଏମ୍ସି ତରଫରୁ ରିଲିଭ କରାଯାଇଛି । ସେ ନୂଆଦିଲ୍ଲୀସ୍ଥିତ ଓଡିଶା ସଦନର ରେସିଡେନସିଆଲ କିମିଶନରଙ୍କ ଦପ୍ତରରେ ମ୍ୟାନେଜର ଭାବେ କାର୍ଯ୍ୟ ତୁଲାଇବେ । ଆୟୋଜିତ ସଭାରେ ମେୟର, ଡେପୁଟି ମେୟର, କମିଶନରଙ୍କ ସମେତ ସମସ୍ତ କର୍ପୋରେଟର, ପଦାଧିକାରୀମାନେ ବିଦାୟୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଉପସ୍ଥିତ ଥିଲେ ।