jayashree

ଗଡିଆଠାରେ ଜିଲ୍ଲାପାଳଙ୍କ ଦ୍ଵାରା ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଦ୍ଵାରା ସୋନପୁର ବ୍ଲକର ଗଡିଆଠାରେ ଏକ୍ସନ୍ ଏଡ୍ ଏସୋସିଏନ ଭୁବନେଶ୍ଵର ସହାୟତାରେ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆରର ସହଯୋଗିତାରେ ୧୦ ଜଣ ଏକାକୀ ମହିଳାଙ୍କୁ ନେଇ ପରିଚାଳିତ ହେଉଥିବା ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ସମୟରେ ସମ୍ମାନିତ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ମଲ୍ଲିକମୁଣ୍ଡା ସରପଚ ଜ୍ୟୋତ୍ସ୍ନାମୟୀ ମେହେର, ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଏକ୍ସନ ଏଡ୍‌ର ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା, ରେଆରର ଆଜୀବନ ସଦସ୍ୟ କରମଚାନ୍ଦ ମହାନ୍ତି, ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରର ସଭାନେତ୍ରୀ ସରୋଜିନୀ ଭୋଇ ଓ ରେଆରର ସାଧାରଣ ସଂପାଦକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନଙ୍ଗ ନେଗି ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ବୈଠକରେ ଘାସିରାମ ପଣ୍ଡା ପ୍ରତ୍ୟେକ ଅସହାୟ ଏବଂ ଏକାକୀ ମହିଳାଙ୍କୁ ରୋଜଗାରର ମାଧ୍ୟମ ଦେବା ତଥା ସରକାରଙ୍କ ପ୍ରମୁଖ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା ଏବଂ ବଜାର ବ୍ୟବସ୍ଥା ଉପଲବ୍ଧି ସହ କୃଷି ଉତ୍ପାଦକ ଗୋଷ୍ଠୀ ତିଆରି କରିବା ଏହା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିବା ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ନରୱେଣେ ମା’ମାନଙ୍କ ପ୍ରୟାସକୁ ପ୍ରସଂଶା କରିବା ସହିତ ଗ୍ରାମାଂଚଳରେ ଏହା ଏକ ପ୍ରମୁଖ ଆୟର ପନ୍ଥା ହୋଇପାରିବ ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦାଶ ନିରନ୍ତର ଭାବରେ ଉତ୍ପାଦନ ଓ ବ୍ୟବସାୟ ପାଇଁ ଦୃଢତାର ସହ କାମ କରିବା ତଥା ବଜାର ବ୍ୟବସ୍ଥାରେ ଧ୍ୟାନ ରଖିଲେ ସଫଳତା ହାସଲ କରିବେ ବୋଲି ଉପସ୍ଥାପନ କରିଥିଲେ । ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଉଦ୍ୟୋମିତା ତାଲିମ ଏବଂ ବଜାର ବ୍ୟବସ୍ଥାକୁ ଗୁରୁତ୍ୱାରୋପ କରିଥିବା ବେଳେ କଂଚାମାଳର ମହଜୁଦ୍ ତଥା ଗୋଷ୍ଠୀର ମିଳିତ ଉଦ୍ୟମରେ ଦଳ ସଫଳତା ହାସଲ କରିବ ବୋଲି କହିଥିଲେ । ସଭାନେତ୍ରୀ ଶ୍ରୀମତୀ ଭୋଇ ଏହି କାର୍ଯ୍ୟକ୍ରମ ଏକତ୍ରିତ ହୋଇ ଆଗକୁ ବଢିବା ତଥା ପରିବାର ପୋଷଣର ସହାୟକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମ ଅବସରରେ ଏକ୍ସନ୍ ଏଡ୍ ତରଫରୁ ପୂର୍ବରୁ ଦିଆଯାଇଥିବା ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରରର ସଂପାଦିକା ଗୌରୀ ଝାଙ୍କର ଓ ବ୍ୟକ୍ତିଗତ ସହାୟତା ପାଇଥିବା ଅଞ୍ଜୁ ମହାଲିଙ୍ଗ୍ ତାଙ୍କ ସଫଳତାର କାହାଣୀ ଉପସ୍ଥାପନ କରିଥିଲେ । ବୈଷୟିକ ପର୍ଯ୍ୟାୟରେ ଘାସିରାମ ପଣ୍ଡାଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଯୋଜନା ଏବଂ ଜୀବନ ଜୀବିକା ପାଇଁ ରହିଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନ, ମିଶନ ଶକ୍ତି ଏବଂ ମିଶନ କ୍ଷମତା ସମ୍ପର୍କରେ ବିସ୍ତୃତ ସଚେତନତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଏକ୍ସନ ଏଡ୍‌ର ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପ୍ରଧାନ, କାର୍ଯ୍ରକ୍ରମ ସଂଯୋଜକ ସୁଶାନ୍ତ ସା’, ଝରଣା ପଟ୍ଟନାୟକ, ଦେବେନ୍ଦ୍ର ପୋଢ, ମିତ୍ରଭାନୁ ମଲ୍ଲିକ୍, ଅଶୋକ ଝାଙ୍କର ଓ ମିତ୍ରଭାନୁ ମଲ୍ଲିକ ସହଯୋଗ କରିଥିବା ବେଳେ ଅନଙ୍ଗ ନେଗି କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.