csstore

ବିରଳ ବଜ୍ରକାପ୍ତା ଉଦ୍ଧାର କଲା ଖପ୍ରାଖୋଲ ବନବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଖୁରୀପାଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଏକ ବଜ୍ରକାପ୍ତା ଖପ୍ରାଖୋଲ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖୁରୀପାଣି ଗ୍ରାମର ବେନାର ସିଂ ବରିହା ବୁଧବାର ସକାଳୁ ନିଜ କ୍ଷେତକୁ ଯାଇଥିବା ବେଳେ ନିଜ ଜମିରେ ଏକ ବଜ୍ରକାପ୍ତା ବୁଲୁଥିବାର ଦେଖିଥିଲେ । ପରେ ଗାଁକୁ ଆସି କିଛି ଗ୍ରାମବାସୀଙ୍କୁ ଜଣାଇଥିଲେ ଓ ପରେ ଖପ୍ରାଖୋଲ ବନବିଭାଗକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ସୂଚନା ପାଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗଙ୍କ ନେତୃତ୍ୱରେ ଗୋଟିଏ ବନବିଭାଗ ଦଳ ଖୁରୀପାଣି ଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଷ ଜମିରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରି ଖୁରୀପାଣି ସ୍ଥିତ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ବଜ୍ରକାପ୍ତା ସୁସ୍ଥ ଏବଂ ଏହା ମେଲ କେଟାଗୋରି ହୋଇଥିବା ବେଳେ ତାର ଓଜନ ପାଖାପାଖି ୧୫ କିଲୋଗ୍ରାମ ଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ନିକଟସ୍ଥ ପାହାଡ଼ରୁ ଖାଦ୍ୟ ଅନ୍ବେଷଣରେ ଆସି ବଜ୍ରକାପ୍ତାଟି ଫେରି ନ ପାରି ଚାଷ ଜମିରେ ରହିଯାଇଥିବା ଅନୁମାନ କରାଯାଉଛି । ଏହି ଅଞ୍ଚଳରେ ବହୁ ସଂଖ୍ୟକ ବଜ୍ରକାପ୍ତା ପରିଲକ୍ଷିତ ହୋଇଥାନ୍ତି । ଏଣୁ ଏହାର ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛି ବନବିଭାଗ । ଉଦ୍ଧାର ସମୟରେ ବନରକ୍ଷୀ ସଞ୍ଜୀବ ପଧାନ, ପିତାମ୍ବର ମାଝୀ, ଭରୁଆମୁଣ୍ଡା ବନରକ୍ଷୀ ଉମାବତୀ ଭୁଏ, ଖୁରୀପାଣି ବନସୁରକ୍ଷା ସମିତି ସଭାପତି ଅର୍ଜୁନ ନାଗ, ଚାଉଳବାଞ୍ଜି ଭିଏସ୍‌ଏସ୍‌ ସଭାପତି ତୁଳସା ଛତ୍ରିଆ, ସମିତି ସଭ୍ୟ ବନବାସ ମାଝୀ, ଶେଷଦେବ ବରିହା, ବନ୍ୟଜନ୍ତୁ ସୁରକ୍ଷା ଦଳ ଏବଂ ବନବିଭାଗର ନିଆଁଲିଭା କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.