ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର ଗ୍ରାମ ପଞ୍ଚାୟତର ଗୋରଡାପୀଢ ଗ୍ରାମର ଅନୀଲ୍ ପରିଡା(୨୫) ଗତକାଲି ଭୁବନେଶ୍ୱର ସ୍ଥିତ ଓଏସ୍ଏପି କ୍ୟାମ୍ପସ୍ରେ ଜେଲ୍ ଓର୍ଡର ପୋଷ୍ଟ ପାଇଁ ଇଣ୍ଟରଭ୍ୟୁର ୧୬ ଶହ ମିଟର ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମୟରେ ହଠାତ୍ ପଡିଯାଇଥିଲେ । ସେଠାରୁ ବିଭାଗୀୟ ଅଧିକାରୀମାନେ ଆମ୍ବୁଲାନସ୍ ଯୋଗେ କିମସ୍ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିମସ୍ ହସ୍ପିଟାଲରେ ଅନୀଲ ଅଳ୍ପ ସୁସ୍ଥ ଅନୁଭବ କରିବା ପରେ ଗଙ୍ଗପଡା ସ୍ଥିତ ମାଉସୀ ଘରକୁ ଏକ କାର ଯୋଗେ ସାଙ୍ଗମାନଙ୍କ ସହାୟତାରେ ଚାଲିଆସିଥିଲେ । କିନ୍ତୁ, ଘରେ ବିଶ୍ରାମ ନେବାର ଘଣ୍ଟାଏ ଭିତରେ ପୁଣି ହଠାତ୍ ଅଚେତ ହୋଇଗଲେ । ତା’ପରେ ଅନୀଲଙ୍କୁ ଛଅ ନମ୍ବର ମେଡିକାଲ ଓ ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନୀଲକୁ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଅନୀଲ ଏହା ପୂର୍ବରୁ ଭାରତୀୟ ସେନାବାହିନୀ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ରାଙ୍କ ରଖିଥିଲେ । ଅନୀଲଙ୍କର ଅକାଳ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅନୀଲ ଏକ ଗରୀବ ପରିବାର ଅନ୍ତର୍ଭୁକ୍ତ ମେଧାବୀ ଛାତ୍ର ଥିଲେ । ସେ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସରକାରଙ୍କ ଦ୍ୱାରା ଗ୍ରୀଷ୍ମ ସମୟରେ ଏପରି ତୃଟିପୂର୍ଣ୍ଣ ଦୌଡ ପ୍ରତିଯୋଗିତା ଯୋଗୁଁ ଆଗରୁ ଅନେକଙ୍କ ପରି ଅନୀଲ୍ ମଧ୍ୟ ଅକାଳ ମୃତ୍ୟୁରେ ପ୍ରାଣ ହରାଇଲେ ବୋଲି ବୁଦ୍ଧିଜୀବୀ ମହଲରେ ଏହାର ନିନ୍ଦା କରାଯାଇଛି । ଅନୀଲଙ୍କ ଆଉ ଦୁଇଟି ସାନଭାଇ ଅଛନ୍ତି । ବାପା ପ୍ରସନ୍ନ ପରିଡା ଜଣେ ଦିନ ମଜୁରିଆ ଶ୍ରେଣୀର ବ୍ୟକ୍ତି । ତାଙ୍କ ଏହି ଅପୂରଣୀୟ କ୍ଷତି ପାଇଁ ସରକାରୀ ସହାୟତା ନିମନ୍ତେ ଚାଁଇପୁର ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ।
Prev Post