
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏଥିପାଇଁ କମିଶନରେଟ୍ ପୁଲିସ୍ ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛି । ଏହି ଅଧିବେଶନ ପାଇଁ ୩୬ ଦିନ ଟ୍ରାଫିକ୍ କଟକଣା କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ଫେବୃଆରୀ ୨୧ ତାରିଖରୁ ଏପ୍ରିଲ୍ ୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ ।
ବଜେଟ୍ ଅଧିବେଶନ ପାଇଁ ୨୧ ତାରିଖ ମଙ୍ଗଳବାର ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ହାଉସିଂ ବୋର୍ଡ ଛକରୁ ଏଜି ଛକକୁ ଯାଉଥିବା ସମସ୍ତ ଗାଡ଼ିକୁ କେଶରୀ ଟକିଜ ନିକଟରେ ଅଟକାଯିବ । ସେ ସବୁ ଗାଡ଼ି କେଶରୀ ଟକିଜ ଓ ରିଜର୍ଭ ବ୍ୟାଙ୍କ ପଛ ରାସ୍ତାରେ ଯିବେ । ଏଜି ଛକ ପଟରୁ ଯେଉଁ ଗାଡ଼ି ହାଉସିଂ ବୋର୍ଡ ଛକ ଆଡ଼କୁ ଆସୁଥିବା ସେ ସବୁ ଆଇଜି ପାର୍କ ନିକଟରେ ଅଟକାଯିବ । ସେ ସବୁ ଗାଡ଼ି ଆଇଜି ପାର୍କ ରାସ୍ତା ଇଡ୍କଲ୍ ଅଡିଟୋରିଅମ୍ ସମ୍ମୁଖ ଦେଇ ଯିବେ । ଲୋୟର ପିଏମ୍ଜିର ୨ଟି ସର୍ଭିସ ରୋଡ୍ ସବୁବେଳେ ଖୋଲା ରହିବ । ରାଜଭବନ ପଟକୁ ୧୨୦ ବାଟାଲିୟନ୍ ଛକରୁ ରବିନ୍ଦ୍ର ମଣ୍ଡପ ଆସୁଥିବା ଗାଡିକୁ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟ ନିକଟ ଓମ୍ଫେଡ୍ ନିକଟରେ ଅଟକାଯିବ । ଏମ୍ଏଲ୍ଏ କଲୋନୀ ରାସ୍ତାକୁ ବନ୍ଦ କରାଯିବ । ଏଥିପାଇଁ ୫ ସ୍ଥାନରେ ପୁଲିସ୍ ବ୍ଲକିଂ କରିବ । ପ୍ରଥମ ପର୍ଯ୍ୟାୟ କଟକଣା ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ କଟକଣା ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ୍ ୬ ତାରିଖ ଯାଏ ରହିବ । ସମୟ ପୂର୍ବରୁ ଅଧିବେଶନ ବନ୍ଦ ହୋଇଗଲେ ଏହି କଟକଣାକୁ ହଟାଇ ଦିଆଯିବ ବୋଲି ଟ୍ରାଫିକ୍ ପୁଲିସ ପକ୍ଷରୁ କୁହାଯାଇଛି ।
ଅନ୍ୟ ପକ୍ଷରେ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ଅଧିବେଶରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି । ତା’ଛଡ଼ା ୨୫୦ ଅଫିସର ମଧ୍ୟ ମୁତୟନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୫ ଜଣ ଆଇଆଇସି ଓ ୮୦ ଜଣ ଏସଆଇ, ୧୦୦ ଜଣ ଏଏସ୍ଆଇ । ଏହା ଛଡ଼ା ସାଧା ପୋଷାକଧାରୀ ପୁଲିସ, ରୁଫ୍ଟପ୍ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ । ବିଧାନସଭା ଭିତର ଓ ବାହାରେ ଅଗ୍ନିଶମ ଟିମ୍ ମଧ୍ୟ ମୁତୟନ କରାଯିବ । କିଛି ନୂଆ ସିସିଟିଭି କ୍ୟାମେରା ପିଏମ୍ଜିରେ ଲାଗିଛି । ୪ଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ କରାଯାଇଛି । ସୋମବାର ପୂର୍ବାହ୍ନରେ ଡିଜିପି ସୁନିଲ୍ ବଂଶଲ ସୁରକ୍ଷା ଯାଞ୍ଚ କରିବାକୁ ବିଧାନସଭା ଓ ପିଏମ୍ଜିକୁ ଆସିଥିଲେ । ତାଙ୍କ ସହ ପୁଲିସ୍ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇନଶୃଙ୍ଖଳା ଏଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।