oom

କାହ୍ନୁ ଚରଣ ସାହୁଙ୍କୁ ‘ଫଲଶାଫୁଲ ଇ-ପତ୍ରିକା ସମ୍ପାଦକ ସମ୍ମାନ’

jsmm

ମ. ରାମପୁର, (ହେମନ୍ତ ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଠାରେ କୋଶଲି ଭାଷା କବିତା, ଫଲଶାଫୁଲ କଳାପଟାର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସ୍ଥିତ ପଣ୍ଡକାମାଳ ଗ୍ରାମର କାହ୍ନୁ ଚରଣ ସାହୁଙ୍କୁ ‘ଫଲଶାଫୁଲ ଇ-ପତ୍ରିକା ସମ୍ପାଦକ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଶ୍ରୀ ସାହୁ ପିଲାଟି ଦିନରୁ ସାହିତ୍ୟ ପ୍ରତି ରୁଚି ରହିଥିବା ସହିତ କୋଶଲି, ଓଡ଼ିଆ, ହିନ୍ଦୀ ଆଦି ଭାଷାରେ ଲେଖାଲେଖି କରି ଆସୁଛନ୍ତି । ମାତୃଭାଷାକୁ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଓଡ଼ିଆ ପ୍ରେମୀଙ୍କ ପାଖରେ ପହଞ୍ଚାଇବାର ପ୍ରୟାସରେ ୨୦୧୮ ମସିହାରୁ ‘ସୃଷ୍ଟି ସମ୍ଭାର’ ଡିଜିଟାଲ ପତ୍ରିକା ସମ୍ପାଦନ କରିଆସୁଛନ୍ତି । ଏତଦ୍‌ ବ୍ୟତୀତ ଅନେକ ଡିଜିଟାଲ ତଥା ପ୍ରିଣ୍ଟ ପତ୍ରିକାର ଦାୟିତ୍ୱ ତୁଲାଇଥାନ୍ତି । ତାଙ୍କ କଲମରୁ ଝରି ଆସୁଥିବା କବିତା ଓ ଗଳ୍ପ ଓଡ଼ିଶା ତଥା ଓଡିଶା ବାହାରେ ପ୍ରକାଶିତ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇ ପାଠକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହା ସହିତ ଲଣ୍ଡନରେ ବସବାସ କରୁଥିବା ଲେଖକ/ କବି ତଥା ଟାଉନ ପ୍ଲାନର ପ୍ରଫୁଲ୍ଲ ମହାନ୍ତିଙ୍କ ସମ୍ପାଦନାରର ‘ଆମ ଗାଁ ଆମ କବିତା’ ସଙ୍କଳନରେ ୧୧ ଜଣ ଓଡ଼ିଆ କବିଙ୍କ ଭିତରେ ସ୍ଥାନ ଗ୍ରହଣ କରି ଚର୍ଚ୍ଚାରେ ଆସିଛନ୍ତି । କୋଶଲି, ଓଡ଼ିଆ ମାତୃଭାଷାର ଉଲ୍ଲେଖନୀୟ ପ୍ରଚାର ପ୍ରସାର ତଥା ସମ୍ପାଦନା ପାଇଁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥିବାର ମତ ରଖିଛନ୍ତି ଫଲଶାଫୁଲ ଅନୁଷ୍ଠାନର ସମ୍ପାଦକ ପ୍ରଭାତ ଖମାରୀ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ଶ୍ରୀଧର ବାଗ, ମୁଖ୍ୟବକ୍ତା ଭାବେ କୋଶଲି ଭାଷା ଗବେଷକ ଗୋରେଖନାଥ ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ସମ୍ପାଦିକା ମିନା ମହାରଣା, ସମ୍ମାନିତ ଅତିଥି ଭାବେ କୋଶଲି ସାହିତ୍ୟ ଏକାଡେମୀ ସଭାପତି ଦେବନ୍ଦ୍ର ନାଏକ ସମେତ ଅନେକ କବି ଲେଖକ ଉତ୍ସବରେ ଯୋଗ ଦେଇଥିଲେ । କୋଶଲି କବିତା ପାଠୋତ୍ସବ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସହଯୋଗ କରିଥିଲେ ସହସମ୍ପାଦକ ଅଂଶୁମାନ କର୍ମୀ, ବିଶ୍ଵଜିତ ପଣ୍ଡା, ଗୋପାଳ ପ୍ରଧାନ ଓ କମିଟିର ସମସ୍ତ ସଦସ୍ୟ ।

jittmm
Leave A Reply

Your email address will not be published.