ଶିକ୍ଷା ମନ୍ତ୍ରୀ ଜିଲ୍ଲାରେ ସମୀକ୍ଷା କରୁଥିବା ସମୟ ସ୍କୁଲରେ ଝୁଲୁଛି ତାଲା : ଶିକ୍ଷକଙ୍କ ଖାତିର ନାହିଁ, ସାଧାରଣରେ ଅସନ୍ତୋଷ
ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ଦିନିକିଆ ଜିଲ୍ଲା ଗ୍ରସ୍ତରେ ଆସି ଶିକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଶିକ୍ଷାର ମାନ ବୃଦ୍ଧି ଉପରେ ଆଲୋଚନା କରିଥିବା ବେଳେ କିଛି ସ୍କୁଲକୁ ଯାଇ ସୋମବାର ଠାରୁ ଆରମ୍ଭ ହୋଇଥିବା ୯ମ ଶ୍ରେଣୀ ପରୀକ୍ଷା ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ମନ୍ତ୍ରୀ ଜିଲ୍ଲାରେ ଶିକ୍ଷାବିଭାଗର ସମୀକ୍ଷା କରୁଥିଲେ ମଧ୍ୟ ଶିକ୍ଷକଙ୍କ ଖାତିର ନଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତୁମୁଡ଼ିବନ୍ଧ ଓ ରାଇକିଆ ବ୍ଲକରେ ଦୀର୍ଘଦିନ ହେବ ବ୍ଲକ ଶିକ୍ଷାଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଶିକ୍ଷକମାନେ ଠିକ୍ ଭାବେ ସ୍କୁଲ ଯାଉନଥିବା ବେଳେ ଆଜି ମଧ୍ୟ ସ୍କୁଲ ନ ଯାଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ସେହିଭଳି କ.ନୂଆଗାଁ ବ୍ଲକର ଜିରିଡିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡବମାହା ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଛି । ଯାହା ବିଡମ୍ବନାର ବିଷୟ । ସ୍କୁଲରେ ତାଲା ଝୁଲୁଥିବା ସଂପର୍କରେ କ.ନୂଆଗାଁ ଶିକ୍ଷାଧିକାରୀ ପ୍ରମୋଦ ମଲ୍ଲିକ କହିଛନ୍ତି ଅଭିଯୋଗର ତଦନ୍ତ ହେବ । ଜିଲ୍ଲାରେ ଜିଲ୍ଲାପାଳ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବ୍ଲକସ୍ତରରେ ଥିବା ବ୍ଲକ ଶିକ୍ଷାଧିକାରୀଙ୍କଠାରୁ ଆରମ୍ଭ କରି ଅତିରିକ୍ତ ଶିକ୍ଷାଧିକାରୀ ଓ ସିଆର୍ସିସିମାନେ ଠିକ୍ ଭାବେ ପରିଦର୍ଶନ କରୁନଥିବା ବେଳେ ଲାଭଖୋର ମନୋବୃତ୍ତି ଯୋଗୁଁ ଶିକ୍ଷାର ମାନ ଧୀରେ ଧୀରେ କମୁଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ଶିକ୍ଷା ବିଭାଗରେ ଖାଲିଥିବା ପଦବୀ ପୂରଣ ଓ ଶିକ୍ଷା ବିଭାଗରେ ଥିବା ଲାଭଖୋର ମନୋବୃତ୍ତି ଥିବା ଅଧିକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।