ତୁର୍କୀ ଭୂକମ୍ପରେ ୪ ହଜାର ୩୬୫ ଜଣ ନିହତ, ୫ ହଜାର ୬୦୦ କୋଠା ନଷ୍ଟ ହୋଇଛି, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ, ଉପରାଷ୍ଟ୍ରପତିଙ୍କ ସୂଚନା

ନୂଆଦିଲ୍ଲୀ : ଭୂକମ୍ପ ଯୋଗୁଁ ଭୟାନକ ବିନାଶ ଭିତରେ ତୁର୍କୀରେ ପୁଣି ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ବୋଲି କୁହାଯାଇଛି ।

ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତୁର୍କୀ ରାଷ୍ଟ୍ରପତି ରାଜାବ ତାଇୟବ ଏର୍‌ଦୁଗାନଙ୍କ ସହ ଫୋନରେ କଥା ହୋଇଥିବା ବେଳେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ବାଇଡେନ କହିଛନ୍ତି ।

ତୁର୍କୀର ସ୍ୱାସ୍ଥ୍ୟମନ୍ତ୍ରୀ ଫାହାଟିନ୍ କୋକାଙ୍କ ଅନୁଯାୟୀ ଖରାପ ମୌସମ୍‌ ଯୋଗୁଁ ସହାୟତା ଦଳ ପାଇଁ ଆହୁରି ଚ୍ୟାଲେଂଜ ବୃଦ୍ଧି ପାଇଛି । କୋକା କହିଛନ୍ତି ଯେ, ପାଣିପାଗ ପରିସ୍ଥିତି ଏବଂ ବିପର୍ଯ୍ୟୟର ମାତ୍ରା ଏତେ ପ୍ରତିକୁଳ ଯେ, ସୁରକ୍ଷା ଦଳ ଅତ୍ୟଧିକ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା କଷ୍ଟକର ହୋଇପଡିଛି ।

ତୁର୍କୀର ଉପରାଷ୍ଟ୍ରପତି ଫୁଏଟ୍ ଓକ୍‌ଟେ କହିଛନ୍ତି ଯେ, ୧୦୦ ବର୍ଷରେ ଥରେ ଏପରି ବିପର୍ଯ୍ୟୟ ଘଟିପାରେ । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ, ଏଥିପାଇଁ ଦେଶ ପ୍ରସ୍ତୁତ ହେବା ଉଚିତ୍ ।

ଭାରତୀୟ ବାୟୁସେନା ଏନ୍‌ଡ଼ିଆର୍‌ଏଫ୍‌ ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ ସହିତ ତୁର୍କୀ ଅଭିମୁଖେ ଯାତ୍ରା କରିଛି । ଏହି ବିମାନ ଏକ ବୃହତ ରିଲିଫ ପ୍ରୟାସର ଏକ ଅଂଶ, ଯାହାକି ଅନ୍ୟ ଭାରତୀୟ ସଂଗଠନ ସହିତ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

ନିକଟ ଆକଳନ ଅନୁଯାୟୀ, ତୁର୍କୀରେ ଅତି କମରେ ୨ ହଜାର ୯୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୩୬୫ରେ ପହଞ୍ଚିଛି ।

ଭୂକମ୍ପ ପ୍ରଭାବିତ ସିରିଆର ଲୋକଙ୍କୁ ସାହାଯ୍ୟ କରିବାକୁ ସ୍ପେନ ମଧ୍ୟ ଆଗେଇ ଆସିଛି । ଅଳିଆ ଆବର୍ଜନାରେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ସ୍ନିଫର୍ କୁକୁରମାନଙ୍କୁ ପଠାଯାଇଛି ।

ଇସ୍ରାଏଲ ମଧ୍ୟ ତୁର୍କୀକୁ ସାହାଯ୍ୟର ହାତ ବଢ଼ାଇଛି । ଇସ୍ରାଏଲର ଉଦ୍ଧାରକାରୀ ଦଳ ତୁର୍କୀ ଅଭିମୁଖେ ଯାତ୍ରା କରିଛନ୍ତି ।

ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ହୋଇଥିବା ବିନାଶକୁ ନେଇ ଦୁଃଖ ପ୍ରକାଶ କରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଯଥା ସଂଭବ ସେ ସହାୟତା କରିବେ ।

ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପକୁ ନେଇ ପିଏମ୍‌ଓରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହା ପରେ ପିଏମ ମୋଦୀଙ୍କ ନିର୍ଦ୍ଦେଶରେ ଦୁଇଟି ଏନ୍‌ଡିଆର୍‌ଏଫ୍‌ ଦଳ ତୁର୍କୀ ଅଭିମୁଖେ ଯାତ୍ରା କରିଛନ୍ତି ।

ତୁର୍କୀ ବ୍ୟତୀତ ସିରିଆର ସୀମାନ୍ତ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଶହ ଶହ କୋଠା ନଷ୍ଟ ହେତୁ ପ୍ରାୟ ୧୩୦୦ ଲୋକ ଏଠି ପ୍ରାଣ ହରାଇଥିବା ଗଣମାଧ୍ୟମରେ କୁହାଯାଇଛି ।

ତୁର୍କୀ ରାଷ୍ଟ୍ରପତି ଦେଶର ଲୋକଙ୍କୁ ସମ୍ବୋଧିତ କରିଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ୭ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି ।

ତୁର୍କୀରେ ସୋମବାର (ଫେବୃଆରୀ ୬) ସକାଳ ଠାରୁ କ୍ରମାଗତ ଭାବରେ ଭୂକମ୍ପ ଅନୁଭୂତ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୬ ଥର କମ୍ପନ ଅନୁଭୂତ ହୋଇଛି । ଭୂକମ୍ପ କମ୍ପନର ତୀବ୍ରତା ୪.୩ ରୁ ୭.୮ ରେକର୍ଡ କରାଯାଇଛି ।

Leave A Reply

Your email address will not be published.