ବଲାଙ୍ଗିର, (କେପିଏନ୍ଏସ୍) : ଗତ ୩୧ ତାରିଖ ଦିନ ଶାନ୍ତିପଡ଼ା ପଂଜାବୀ ଗଳି ନିବାସୀ ସୁଶୀଲ ମେହେରଙ୍କ ଘରେ ପଶି ଜଣେ ଦେଢ଼ ବର୍ଷର ଶିଶୁ କନ୍ୟା ସହ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ କାବୁ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଟାଉନ୍ ଥାନା ଅଧିକାରୀ । ଗତ ୧ ତାରିଖ ଦିନ ଅପରାହ୍ନ ୨ଟା ସମୟରେ ସୁଶୀଲ ମେହେରଙ୍କ ଭାଇ ଶେଷଦେବ ମେହେର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ଯେ, ଗତ ୩୧ ତାରିଖ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ସୁଶୀଲ ମେହେର ଘରେ ନଥିବା ସମୟରେ ସ୍ଵାଧୀନ ସାହୁ ତାଙ୍କ ଘରକୁ ପଶି ସୁଶୀଲଙ୍କ ପତ୍ନୀ ମମତା, ଭଉଣୀ ଆରାଧନା ଏବଂ ଦେଢ଼ ବର୍ଷର ଶିଶୁ କନ୍ୟା ଶ୍ରୀୟାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗଡ୍ରେଜ ଭାଙ୍ଗି ସୁନା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲା । ତେବେ ଅଭିଯୁକ୍ତ ଦେଓଗାଁ ଥାନା ଗମ୍ଭାରିମାଲ ନିବାସୀ ସ୍ଵାଧୀନ ସାହୁ(୨୫)ଙ୍କୁ ଗିରଫ୍ କରିବା ସହ ତାଙ୍କ ପାଖରୁ ୪୦ ହଜାର ୨୩୦ ଟଙ୍କା, ଗୋଟିଏ ସୁନା ମୁଦି, ଗୋଟିଏ ରୂପା ମୁଦି ଓ ଗୋଟିଏ ମଟରସାଇକଲ ଜବତ କରିଛି ଟାଉନ୍ ପୋଲିସ । ତେବେ ଅଭିଯୁକ୍ତଙ୍କୁ ଦଫା -୪୫୨/୩୨୩/୩୦୭/୩୯୪ ଭା.ଦ.ଆ ଅନୁସାରେ ଆରେଷ୍ଟ କରାଯାଇ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ସୂଚନାରେ କୁହାଯାଇଛି । ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ବେହେରା ଏହି ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।