ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ଭରସୁଜା କଲ୍ୟାଣ ମଣ୍ଡପଠାରେ ୪ର୍ଥ ବର୍ଷ ଜାତୀୟସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଉପଲକ୍ଷେ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟଟି ସ୍ୱର୍ଗତ ଭୁକ୍ତାନନ୍ଦ ପାତ୍ରଙ୍କ ସ୍ମୁତିରେ ଆସନ୍ତା ତା.୦୪/୦୨/୨୩ ଓ ୫/୨/୨୩ ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି ଆସୋସିଏସନ ସଭାପତି ଉମାକାନ୍ତ ପଟେଲ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି । ଆସୋସିଏସନ ସମ୍ପାଦକ କରୁଣାକର ପାତ୍ର କହିଛନ୍ତି ଯେ, ଉକ୍ତ ଟୁର୍ଣ୍ଣାମେଣ୍ଟରେ ଜାତୀୟ ସ୍ତରର ୧୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେବାର ସମ୍ଭାବନା ଅଛି । ସମସ୍ତ ପ୍ରତିଯୋଗୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କମିଟି ତରଫରୁ ମାଗଣାରେ ଯୋଗାଇ ଦିଆଯିବ । କୋଷାଧ୍ୟକ୍ଷ ଭଜମନ ସାହୁ ପ୍ରକାଶ କରନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ପ୍ରତିଯୋଗୀ ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ରେଜିଷ୍ଟ୍ରେସନ କରିସାରିଲେଣି । ଆଉ ଯେଉଁ ପ୍ରତିଯୋଗୀ ଅନଲାଇନରେ ଆବେଦନ କରିବା ପାଇଁ ଇଚ୍ଛୁକ ସେହିମାନେ ୦୨/୦୨/୨୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୦୪/୦୨/୨୩ ତାରିଖ ସ୍ପଟ ରେଜିଷ୍ଟ୍ରେସନର ସୁବିଧା ମଧ୍ୟ ଉପଲବ୍ଧ । ଭଜମନ ସାହୁ ୭୯୭୮୧୩୦୫୩୭ ମୋବାଇଲ ନମ୍ବରରେ ଯୋଗାଯୋଗ କରି ଆବେଦନ କରିପାରିବେ । ଖେଳର ନିୟମ ବିଷୟରେ ପ୍ରକାଶ କରିଛନ୍ତି ଯେ, ୮ ରାଉଣ୍ଡ ଖେଳ ହେବ, ସମୟ ୩୦ ମିନିଟ, ୩ ସେକେଣ୍ଡ ଇନକ୍ରିମେଣ୍ଟ ରହିବ । ସର୍ବମୋଟ ୨୫,୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ରହିଛି । ପ୍ରଥମ ଦିନ ଉଦ୍ଘାଟନି ମ୍ୟାଚ୍ରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ଉଦ୍ଯାପନୀ ଦିନ ନିଖିଳ ଓଡିଶା ଚେସ୍ ଆସୋସିଏସନର ସମ୍ପାଦକ ଇ. ଦେବବ୍ରତ ଭଟ୍ଟ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା କମିଟି ତରଫରୁ ପ୍ରକାଶ । ଉକ୍ତ ଟୁର୍ଣ୍ଣାମେଣ୍ଟ ପାଇଁ ଲୋଇସିଂହା ନିର୍ବଚନ ମଣ୍ଡଳୀ ଓ ବଲାଙ୍ଗିର ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ଏହାର ପ୍ରଚାର ପ୍ରସାର ପାଇଁ ଆସୋସିଏସନ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସହ ଭରସୁଜା ଗ୍ରାମବାସୀ ତଥା ଅଂଚଳବାସୀ ସାମ୍ବାଦିକ ସମ୍ବିଳନୀ ଜରିଆରେ ଅନୁରୋଧ କରିଛନ୍ତି ।
Next Post