csstore

ଆବାସ ଯୋଜନାରୁ ବାଦ ପଡିଥିବା କଅଁସର ପଂଚାୟତବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ

ସଇଁନ୍ତଲା, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିବା ସାଙ୍ଗକୁ କେହି ଜଣେ ବ୍ୟକ୍ତି ମଧ୍ୟ ମାଟି ଘରେ ରହିବେ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଉଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର ଗ୍ରାମବାସୀମାନେ ଆବାସ ଯୋଜନାରୁ ବାଦ ପଡିଥିବା ବେଳେ ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଯାହା ଦ୍ୱାରା ବିବାଦ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ଆଜି କଅଁସର ପଂଚାୟତରେ ଗ୍ରାମସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ପଂଚାୟତବାସୀମାନେ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଫଳରେ ସରପଞ୍ଚ, ୱାର୍ଡ ମେମ୍ବର ମାନେ ସଭା ନ କରି ଘରକୁ ଫେରି ଯାଇଥିଲେ ଏବଂ ଶତାଧିକ ଜନ ସାଧାରଣ ପଂଚାୟତ କାର୍ଯ୍ୟାଳୟରେ ଆନ୍ଦୋଳନ କରିଥିଲେ । ପରେ ଶତାଧିକ ଲୋକେ ସ୍ଥାନୀୟ ବ୍ଲକ ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ବ୍ଲକ ପ୍ରଶାସନ ବିରୁଦ୍ଧରେ ନାରା ଦେଇଥିଲେ । ବଡ଼ ବଡ଼ିଆ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ଏବଂ ଗରିବ ଲୋକଙ୍କୁ ଅଣଦେଖା କରାଯାଉଛି ବୋଲି ଗର୍ଜି ଥିଲେ । ଏହି ପଂଚାୟତକୁ ମାତ୍ର ୮ଟି ଘର ଆସିଥିବା ବେଳେ ବାକି ଲୋକ କ’ଣ ଦୋଷ କରିଥିଲେ ବୋଲି ବ୍ଲକ ପ୍ରଶାସନକୁ ଜବାବ ମାଗିଥିଲେ । ଏନେଇ ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ପଂଚାୟତବାସୀ ଏକ ଦାବୀପତ୍ର ପ୍ରଦାନ କରିବା ସହ ୧୫ ଦିନ ଭିତରେ ଯଦି ଆବାସ ଯୋଜନାରେ ସାମିଲ କରାନଗଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନରେ କାମଦେବ ଭୋଇ, ହୀରାଧର ଗହୀର, ଧୂବଳେ ଚନ୍ଦନ, ନେପାଳ ସାହୁ, ସରୋଜ ରଣା, ତିର୍ଥ ରଣା, ପ୍ରମୋଦ ଦାସ, ସଭ୍ୟା ରଣା ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.