ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ସ୍ଥିତ ଗାନ୍ଧୀ ସ୍ମୃତିପୀଠ ଠାରେ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ତଥା ୭୫ତମ ଶହୀଦ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ପ୍ରାତଃ ସମୟରେ ଗାନ୍ଧୀ ସ୍ମୃତିପୀଠ ପରିସରରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ନୂତନ ଭାବେ ନିର୍ମିତ ହୋଇଥିବା ଅର୍ଣ୍ଣପୂର୍ଣ୍ଣା ମହାରଣା ଘାଟରେ ଗାନ୍ଧୀ ସ୍ମାରକୀ ସମିତି ଓ କସ୍ତୁରବା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ତିଳତର୍ପଣ କରାଯାଇଥିଲା । ତତ୍ପରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡା ସୂତ୍ରମାଳ ଅର୍ପଣ କରିବା ପରେ ସମିତିର କର୍ମକର୍ତ୍ତାମାନେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କସ୍ତୁରବା ଟ୍ରଷ୍ଟର ସଂଚାଳିକା କବିତାରାଣୀ ପରିଡାଙ୍କ ନେତୃତ୍ୱରେ ଗାନ୍ଧୀ ଭଜନ, ରାମଧ୍ଵନି ଗାନ କରାଯିବା ସହିତ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ସ୍ମାରକୀ ସମିତିର ସଭାପତି ବିଚିତ୍ରା ନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ, ସହସମ୍ପାଦକ ସର୍ବେଶ୍ୱର ବରେଇ, କୋଷାଧ୍ୟକ୍ଷ ଭାଗିରଥି ପରିଡା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ପରିସଂଖ୍ୟାନ କର୍ମଚାରୀ ଅନାମ ମଲ୍ଲିକ, କସ୍ତୁରବା ଟ୍ରଷ୍ଟ ଅଧ୍ୟକ୍ଷା କୁନ୍ତଳା ବିଶ୍ୱାଳ, ସହ ସଂଚାଳିକା ଅର୍ଣ୍ଣପୂର୍ଣ୍ଣା ମିଶ୍ର ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ବିଚାରଧାରା ସମ୍ପର୍କରେ ଆଲୋକପାତ କରିବା ସହିତ ବାଲବାଡିର କୁନିକୁନି ପିଲାମାନଙ୍କୁ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଉପରେ ସୂଚନା ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଗାନ୍ଧୀ ସ୍ମୃତିପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ହୋଇଥିବା ଅଧାପନ୍ତାରିଆ ନିର୍ମାଣ କାର୍ଯ୍ୟ ଦେଖି ବିଶିଷ୍ଟ ଗାନ୍ଧିବାଦୀ ଲେଖକ ଶ୍ରୀ ପରିଡା ଉଦ୍ବେଗ ପ୍ରକାଶ କରିଥିଲେ । ଗାନ୍ଧୀପୀଠର ଉନ୍ନତିକରଣ କେବଳ ପୀଠର ଚାରିପାଖରେ ପାଚେରୀ ଘେରାଇବା ସହ ଏକ ଶୌଚାଳୟ ଏବଂ ଜଗୁଆଳି ଗୃହ ନିର୍ମାଣ କରି ୧ କୋଟି ଟଙ୍କା ଚଳୁ କରିଥିବା ନେଇ ସମିତିର ସଭାପତି ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରିବା ସହିତ ଏ ବାବଦରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତପ୍ରକାଶ କରିଥିଲେ । ସଭାକାର୍ଯ୍ୟ ଶେଷ ହେବା ପରେ ରେଞ୍ଚ ପଂଚାୟତ ଅଧୀନ ବେଲେଶ୍ୱରପାଟଣାକୁ ଏକ ଶୋଭାଯାତ୍ରାରେ ଯାଇ ସମିତି ପକ୍ଷରୁ ଏକ ନିଶାନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିଶା ହଟାଅ, ଦେଶ ବଞ୍ଚାଅ ଭଳି ବିଭିନ୍ନ ସ୍ଲୋଗାନ ମାନ ଦେଇ ନିଶାନିବାରଣ ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ । ଆଇନୀଜୀବୀ ହୃଷିକେଶ ପାଢ଼ୀ, ସନ୍ତୋଷ ବିଶ୍ୱାଳ, ସୁମନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।