ସଇଁନ୍ତଲା, (କେପିଏନ୍ଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗଦାନ କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ବୁଝି ସମାଧାନ କରିଥିଲେ । ଏହି ବେଲଗାଁ ପଞ୍ଚାୟତରେ ଥିବା ୧ ଏକର ୫୧ ଡ଼ିସମିଲକୁ ନେଇ ବାରମ୍ବାର ୨୦୧୪ ମସିହାଠାରୁ ଅଭିଯୋଗ କରୁଥିଲେ ମଧ୍ୟ କେହିବି ଚିହ୍ନଟ କରି ଦେଉନାହିଁ ବୋଲି ଅଭିଯୋଗ କରିଥିଲେ । ଏହା ସହିତ ବେଲଗାଁ ଫାଣ୍ଡିରେ ଅଧିକାରୀ ନ ଥିବାରୁ ଲୋକେ ହଇରାଣ ହରକତ ହେଉଛନ୍ତି ବୋଲି ସୁନୀଲ ଜୈନ, ଅଶୋକ ମାଝୀ, ସୁଲତାନ ମହମଦ ପ୍ରମୁଖ ଦାବୀ କରିଥିଲେ । ଏପରିକି ବେଲଗାଁ ପଞ୍ଚାୟତର ୪ ନଂ ୱାର୍ଡର ଯାନୀପଡାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି ବୋଲି ସମିତି ସଭ୍ୟା ଆରତୀ ସେଠ ଓ ୱାର୍ଡ ମେମ୍ବର ସୁରୁବାଲି ବେହେରା ଅଭିଯୋଗ କରିଥିଲେ । ସେହିପରି ଡୁଙ୍ଗୁରିପାଲି ପଞ୍ଚାୟତର କୁଆଁରଗାଁ ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ସଂଖ୍ୟା ୨୦୨ ଜଣ ଥିବା ବେଳେ ମାତ୍ର ୩ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବାରୁ ପାଠପଢ଼ା ବ୍ୟାହତ ସୃଷ୍ଟି ହେଉଛି ବୋଲି କମିଟି ସଭାପତି ହରିନ୍ଦ୍ର ପୁଟେଲ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ହେମରାଜ ବକୁଳ ଓ କୃଷ୍ଣଚନ୍ଦ୍ର ପୁଟେଲ ଅଭିଯୋଗ କରିଛନ୍ତି । ଏହା ସହିତ ସଇଁତଳା ସରପଞ୍ଚ ସଂଘ ତରଫରୁ ଆବାସ ଯୋଜନା ସମେତ ୬ ଗୋଟି ଦାବୀକୁ ନେଇ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ । ବେଲଗାଁ ପଞ୍ଚାୟତର ସବିତା ବାରିକ, ସେବତୀ ନାଗ, ଦିବ୍ୟା ବାଗ ଓ ସେବତୀ ନନ୍ଦଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରିବା ପାଇଁ ଆବେଦନ କରିଥିଲେ । ସେହିପରି ସାମାଜିକ ସୁରକ୍ଷା ବିଭାଗ ତରଫରୁ ଗଜେନ୍ଦ୍ର ମାଝୀଙ୍କୁ ଫୋନ ଓ ଷ୍ଟିକ ବାଡ଼ି ପ୍ରଦାନ କରିଥିବା ବେଳେ ଲିପୁନ ସରାଫ ହୁଇଲ ଚେୟାର, ଗୌତମ ପଟେଲ ଓ ରାଜୁ କ୍ଷେତି ଅନ୍ୟ ଜାତିର ଝିଅ ରଞ୍ଜୁ ମେର୍ଲିଙ୍କୁ ବିବାହ କରିଥିବାରୁ ପ୍ରଶାସନ ତରଫରୁ ୨ଲକ୍ଷ ୫୦ ହଜାର ଟଙ୍କା ରାଶି ପ୍ରଦାନ କରିଛନ୍ତି । ଏହା ସହିତ କୃଷି ବିଭାଗର ଆତ୍ମା ତରଫରୁ ଗୁର୍ଜିଭଟ୍ଟା ମା’ ତୁଳସୀ ଏସ୍ଏସ୍ଜି, କୁଶମାଲ ଶୁଭଲଷ୍ମୀ ଓ ତୁଳସୀ ଏସ୍ଏସ୍ଜିଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏହି ସମୟରେ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର, ସହକାରୀ ଅତିରିକ୍ତ ଜିଲ୍ଲାପାଳ ଦିବାକର ବାଗ, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା, ସଇଁନ୍ତଲା ବିଡ଼ିଓ ଚନ୍ଦ୍ରମଣି ନାଗ, ତହସିଲଦାର ମାନସ ଫିଲ କେରକେଟା, ଡିଏସ୍ଓ ନବକୃଷ୍ଣ ସାହୁ, ଏସ୍ଆର୍ଏ ସିଗ୍ଧାରାଣୀ ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଜିପିଇଓ ପଦ୍ମକାନ୍ତ ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, ସେକସନ ଅଫିସର ଗଣେଶରାମ ବେହେରାଙ୍କ ସମେତ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ ।