ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ଶିକ୍ଷକତା କରୁଥିବା ତଥା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ମୂଳ ବାସିନ୍ଦା ଯୁବ ଶିକ୍ଷକ ଦିବସ କୁମାର ସାହୁଙ୍କୁ ମିଳିବ ସମ୍ମାନ ଜନକ “ରିୟଲ ହିରୋ” ସମ୍ମାନ । ଅନେକ ଥର ଦୁର୍ଘଟଣାରେ ଆହତ ମାନଙ୍କୁ ନିଜେ ଡାକ୍ତରଖାନାକୁ ନେଇ ବହୁମୂଲ୍ୟ ଜୀବନ ବଞ୍ଚେଇବା ପାଇଁ ତଥା ସଡ଼କ ସୁରକ୍ଷା ନିମନ୍ତେ ଦୀର୍ଘ ବର୍ଷ ଧରି ସଚେତନତା ସୃଷ୍ଟି କରିଆସୁଥିବା ପାଇଁ ବରଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ କେନ୍ଦ୍ର ତରଫରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଉଦଯାପନୀ ଉତ୍ସବରେ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏହି ସମ୍ମାନ ପ୍ରଦାନ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ, ଦିବସ କୁମାର ସାହୁ ବର୍ତ୍ତମାନ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରର ସିଆରସିସି ଭାବେ କାମ କରୁଛନ୍ତି ତଥା ୨୦୧୧ ମସିହାରୁ ଝାରବନ୍ଧ ବ୍ଲକରେ ଶିକ୍ଷକତା କରିଆସୁଛନ୍ତି । ସେ ଅତ୍ୟନ୍ତ ପରୋପକାରୀ ସ୍ୱଭାବର ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି । ଗତ କିଛି ବର୍ଷ ମଧ୍ୟରେ ନିଜର କର୍ମସ୍ଥଳୀରୁ ଜନ୍ମସ୍ଥଳୀ ଯିବା ଆସିବା ସମୟରେ ଅନେକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି, ଯାହାକୁ ଅନୁସରଣ କରି ଅନେକ ଲୋକେ ବର୍ତ୍ତମାନ ଦୁର୍ଘଟଣାରେ ଆହତଙ୍କୁ ବିନା ଦ୍ୱିଧାରେ ଡାକ୍ତରଖାନା ନେଉଛନ୍ତି । ଦିବସ ଗତ କିଛି ବର୍ଷ ମଧ୍ୟରେ ୧୦ରୁ ଅଧିକ ବ୍ୟକ୍ତିଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ବହୁମୂଲ୍ୟ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥାଏ । ୨୦୨୧ ମସିହାରେ ରାଜ୍ୟ ପରିବହନ ବିଭାଗ ତରଫରୁ ତାଙ୍କୁ “ରାଜ୍ୟ ସ୍ତରୀୟ ଗୁଡ ସମାରୀଟାନ ଆୱାର୍ଡ” ମଧ୍ୟ ପ୍ରଦାନ କରାଯାଇଥିଲା । ସେ ୨୦୧୮ ମସିହା ମକର ସଂକ୍ରାନ୍ତି ଦିନ ପାଇକମାଲରୁ ନିଜ ଗାଁ ଯୋଖିପାଲି ଯାଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକକୁ ଅସହାୟ ଅବସ୍ଥାରେ ପଡ଼ିଥିବା ଦେଖି ନିଜ ସ୍କୁଟରରେ ନେଇ ନିକଟସ୍ଥ ଡାକ୍ତରଖାନା ନେବା ପରେ ଏକ ପ୍ରାଇଭେଟ ବୋଲେରୋ ଭଡ଼ା ନେଇ ଶୀଘ୍ର ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରିବା ଫଳରେ ବହୁମୂଲ୍ୟ ଜୀବନ ବଞ୍ଚିପାରିଥିଲା ଯେଉଁଥିପାଇଁ ଦିବସଙ୍କୁ ଅନେକ ପ୍ରଶଂସା ମିଳିଥିଲା । ଏହାପରେ ସେହି ବର୍ଷ ଦଶହରା ସମୟରେ ଏକ ବୃଦ୍ଧାଙ୍କୁ ଗୋଟିଏ ଗାଡ଼ି ଧକ୍କା ଦେଇ ଚାଲିଯାଇଥିବା ସମୟରେ ଦେବଦୂତ ସାଜି ତାଙ୍କୁ ଉଦ୍ଧାର କରି ରାତାରାତି ବୁର୍ଲା ବଡ଼ ମେଡିକାଲ ନେଇଥିଲେ ।ଅନୁରୂପ ଭାବେ ଝାରବନ୍ଧରୁ ପାଇକମାଲ ଫେରୁଥିବା ସମୟରେ ଦୁଇଜଣ ଗୁରୁତର ଆହତଙ୍କୁ ପାଇକମାଲ ଡ଼ାକ୍ତରଖାନା ଆଣି ଚିକିତ୍ସା କରିଥିଲେ । ଏଭଳି ଭାବେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରି ଆସୁଥିବା ଯୋଗୁଁ ରାଜ୍ୟ ପରିବହନ ପ୍ରାଧିକରଣ ତରଫରୁ ୨୦୨୧ ମସିହାରେ ଗୁଡ ସମାରୀଟାନ ଆୱାର୍ଡ ପାଇଥିଲେ । ଏହାପରେ ମଧ୍ୟ ଉକ୍ତ କାର୍ଯ୍ୟ ଜାରି ରଖି ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଟି ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିସାରିଲେଣି ଶିକ୍ଷକ ଦିବସ କୁମାର ସାହୁ । ଏହାଛଡ଼ା ସେ ଅନେକ ଦୁର୍ଘଟଣାରେ ଆହତଙ୍କୁ ପରୋକ୍ଷ ଭାବେ ସହାୟତା ପ୍ରଦାନ କରି ବହୁମୂଲ୍ୟ ଜୀବନ ରକ୍ଷା କରିଛନ୍ତି ଯାହାର ପ୍ରତ୍ୟକ୍ଷ ଉଦାହରଣ ଦେଖିବାକୁ ମିଳିଥିଲା ସୁଦୂର ମଧ୍ୟପ୍ରଦେଶରେ, ବରପାଲି ଅଂଚଳର ଜଣେ ଡ୍ରାଇଭର ଗୁରୁତର ଭାବେ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ଏହି ଖବର ଦିବସ ଜାଣିବା ପରେ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ତ୍ୱରିତ ଚିକିତ୍ସା କରିବା ଫଳରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଦିବସ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କୁ ସଡ଼କ ନିରାପତ୍ତା “ରିୟଲ ହିରୋ ଆୱାର୍ଡ”ରେ ସମ୍ମାନିତ କରାଯିବା ଖବର ଶୁଣି ଶିକ୍ଷକ ତଥା ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।