- ହାଇକୋର୍ଟ ଆନ୍ଦୋଳନରେ ସାମିଲଥିବା ଆଇନଜୀବୀ, ବୁଦ୍ଧିଜୀବୀ ସ୍ୱତନ୍ତ୍ର ରାଜ୍ୟଦାବୀ ଆନ୍ଦୋଳନକୁ ଆସନ୍ତୁ
ବଲାଙ୍ଗିର, (କେପିଏନ୍ଏସ୍) : କୋସଳାଞ୍ଚଳ ଦୀର୍ଘବର୍ଷ ହେଲା ଅବହେଳାର ଶୀକାର ହୋଇଛି । ଦୀର୍ଘ ୭୫ ବର୍ଷର ଦାବୀ ଓ ୩ ଦଶନ୍ଧୀର ଆନ୍ଦୋଳନ ପରେ ମଧ୍ୟ ଆମକୁ ଅଣଦେଖା କରାଯାଇଛି । ଏବେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଚଳିତ ଶତାବ୍ଦୀର ବଡ ଦୁର୍ଘଟଣା ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି କହିବା ସହିତ ହାଇକୋର୍ଟ ଦାବୀ ନେଇ ଆନ୍ଦୋଳନ କରୁଥିବା ଆଇନଜୀବୀ ଓ ବୁଦ୍ଧିଜୀବୀ ସଂଗଠନ ସ୍ୱତନ୍ତ୍ର ରାଜ୍ୟ ଦାବୀ ନେଇ ଚାଲିଥିବା ଆନ୍ଦୋଳନକୁ ଆସନ୍ତୁ ବୋଲି କୁହାଯାଇଛି । ବଲାଙ୍ଗିର ସାମ୍ବାଦିକ ଭବନଠାରେ କୋସଲରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ ସମନ୍ୱୟ ସମିତିର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର କହିଛନ୍ତି ଯେ, ଦେଶର ଏକ ଗରୀବ ଅଞ୍ଚଳର ଲୋକ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ଅନେକ ବର୍ଷର ଦାବୀ ପରେ ସରକାର ପ୍ରଥମେ ଘଡେଇ କମିଶନ ଓ ପରେ ପାଲ କମିଶନ ଗଠନ କରିଥିଲେ । ଏପରିକି ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ କମିଶନ ବସାଇ ପରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିଛନ୍ତି । ୧୯୩୬ ମସିହାରେ ଓଡିଶା ଗଠନ ଓ ୧୯୪୮ର ଗଡଜାତ ମିଶ୍ରଣ ପରେ ବାରମ୍ବାର ଏହି ଅଞ୍ଚଳକୁ ଅବହେଳା କରାଯାଇଛି । ନ୍ୟାୟ ଅପେକ୍ଷାରେ ଥିବା କୋସଳାଞ୍ଚଳର ଲୋକଙ୍କ ଦାବୀକୁ ସୁପ୍ରିମକୋର୍ଟରେ ଠିକ୍ରେ ଉପସ୍ଥାପିତ କରାଯାଇ ପାରିନାହିଁ । ଯାହାର ଫଳ ସ୍ୱରୂପ ଆମର ଦାବୀ ନ୍ୟାୟିକ ସ୍ୱିକୃତୀ ପାଇ ପାରିଲା ନାହିଁ । ଏବେ ଆଉ ବେଞ୍ଚ ଦାବୀ ନୁହଁ ସିଧାସଳଖ ସ୍ୱତନ୍ତ୍ର ରାଜ୍ୟ ଦାବୀ କରିବାକୁ ପଡିବ । ସ୍ୱତନ୍ତ୍ର ରାଜ୍ୟ ଦାବୀ ହିଁ ସବୁ ସମସ୍ୟାର ସମାଧାନ ବୋଲି ଶ୍ରୀ ମିଶ୍ର କହିଛନ୍ତି । କୋସଳାଞ୍ଚଳକୁ ରାଜ୍ୟ ସରକାର ବାରମ୍ବାର ଅବହେଳା କରିଆସୁଥିବା ବେଳେ ଏହି ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ନେତାମାନେ ଅର୍ଥ ଯୋଗାଡ ଓ ନିଜ ପୁଅମାନଙ୍କୁ ରାଜନୈତିକ ଥଇଥାନ କରିବାରେ ବ୍ୟସ୍ତ ଅଛନ୍ତି ବୋଲି କହିଥିଲେ । ରାଜନେତାମାନଙ୍କ ଉଦାସୀନତା ଓ ସରକାରୀ ଅବହେଳାର ପ୍ରତିବାଦ ତଥା ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବୀରେ ଆଗାମୀ ଦିନରେ ବିଶାଳ କୋଶଳ ମହାପଞ୍ଚାୟତ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଥିଲା । ଏହି ଆନ୍ଦୋଳନରେ ଓକିଲ, ଛାତ୍ର, ଶ୍ରମିକ, ବୁଦ୍ଧିଜୀବୀ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ କୋସଲ ରାଜ୍ୟ ସମନ୍ୱୟ ସମିତର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ମିଳିତ ଟ୍ରେଡ ୟୁନିୟନର ସଭାପତି ବିଭୁଦତ୍ତ ମିଶ୍ର, ଜମାଲ ଖାନ, ରଣରାଜ ସିଂଦେଓ, ରବି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।