pr

ଭାରତୀୟ ମହିଳା ଦଳକୁ ରୌପ୍ୟ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନେପାଳର କାଠମାଣ୍ଡୁଠାରେ ୧୮ ବର୍ଷରୁ କମ୍‌ ଏସୀୟ ରଗ୍‌ବୀ ସେଭେନ୍ସ ଚାମ୍ପିୟନସିପ୍‌ ରବିବାର ଶେଷ ହୋଇଛି । ଏଥିରେ ଓଡ଼ିଶା ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି । କିସ୍‌ର ମାମା ନାୟକ ଏହି ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ପୂରା ପ୍ରତିଯୋଗିତାରେ ଭଲ ଖେଳିଥିବା ଭାରତ ଫାଇନାଲରେ ୫-୨୬ ପଏଣ୍ଟରେ ୟୁଏଇ ନିକଟରୁ ହାରିଯାଇଥିଲା ।

୧୩ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୫ ଖେଳାଳି ସାମିଲ ଥିଲେ । ସେମାନେ ହେଲେ ମାମା ନାୟକ, ତରୁଲତା ନାୟକ, ନିର୍ମାଲ୍ୟ ରାଉତ (୩ ଜଣ ଯାକ କିସ୍‌ ଖେଳାଳି), ପାର୍ବତୀ ହାଂସ୍‌ଦା ଓ ଆରତି ମୁର୍ମୁ ।

ପ୍ରଥମ ମ୍ୟାଚ୍‌ରେ ୫୮-୦ରେ ମାଲେସିଆକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଥାଇଲାଣ୍ଡକୁ ୨୬-୧୨ରେ ପରାସ୍ତ କରିଥିଲା । କିନ୍ତୁ ତୃତୀୟ ମ୍ୟାଚ୍‌ରେ ୟୁଏଇ ନିକଟରୁ ୧୪-୩୧ ପଏଣ୍ଟରେ ହାରିଥିଲେ ହେଁ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ପର୍ଯ୍ୟାୟରେ ଦଳ ନେପାଳକୁ ବୃହତ୍‌ ବ୍ୟବଧାନ(୪୧-୦)ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ମାତ୍ର ଫାଇନାଲରେ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇପାରି ନ ଥିଲା । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ, କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଭାରତୀୟ ରଗ୍‌ବୀ ଫୁଟ୍‌ବଲ ୟୁନିୟନ ସଭାପତି ରାହୁଲ ବୋଷ୍‌, ଓଡ଼ିଶା ରଗ୍‌ବୀ ଫୁଟ୍‌ବଲ ଆସୋସିଏସନ ସଭାପତି ପ୍ରିୟଦର୍ଶୀ ମିଶ୍ର, ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.