ପଦ୍ମପୁର ଉପନିର୍ବାଚନରେ ଷ୍ଟାର୍‌ ପ୍ରଚାରକଙ୍କ ଜୋର୍‌ସୋର୍‌ ଭିଡ଼ ଜମିବ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନରେ ଷ୍ଟାର୍‌ ପ୍ରଚାରକଙ୍କ ଜୋର୍‌ସୋର୍‌ ଭିଡ଼ ଜମିବ । ଏଥିପାଇଁ ପ୍ରମୁଖ ଦଳଙ୍କ ଅଂଟା ଭିଡ଼ାଭିଡ଼ି ଆରମ୍ଭ ହୋଇଯାଇଛି । ଏବେ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ିର ପ୍ରାର୍ଥୀଙ୍କ ସହ ସମୁଦାୟ ୧୧ ଜଣ ପ୍ରାର୍ଥୀ ଉପନିର୍ବାଚନ ରଣାଙ୍ଗନରେ ରହିଥିବା ବେଳେ ଭୋଟର୍‌ଙ୍କ ମୂଲ୍ୟବାନ୍‌ ଭୋଟ ହାତେଇବା ପାଇଁ ପ୍ରମୁଖ ଦଳ ମାନଙ୍କ ହାଇ ଭୋଲ୍‌ଟେଜ୍‌ ପ୍ରୟାସ ମଧ୍ୟ ଲୋକଲୋଚନକୁ ଆସୁଛି । ବିଜେପି ପ୍ରାର୍ଥୀଙ୍କ ବିପୁଳ ଲୋକପ୍ରିୟତା ଏଥର ନିର୍ବାଚନରେ ବିଶେଷ ଭାବେ ଗୁରୁତ୍ୱ ବହନ କରିବ ବୋଲି କିଛି ଭୋଟର୍‌ ଖୋଲମ୍‌ଖୋଲା ଆଲୋଚନା କରୁଥିବା ବେଳେ ଧାମନଗର ଉପନିର୍ବାଚନର ସଫଳତା ପ୍ରଭାବ ଏଠାରେ ମଧ୍ୟ ବିଜେପି ପାଇବ ବୋଲି କୁହାଯାଉଛି । ବିଜେଡ଼ି ପ୍ରାର୍ଥିନୀଙ୍କ ଆଡ଼କୁ ଜନ ସମର୍ଥନ ଢ଼ଳିବ ବୋଲି ମଧ୍ୟ କେତେକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ବିଜେଡ଼ି ପ୍ରାର୍ଥିନୀଙ୍କ ଇମୋସନାଲ୍‌ ପ୍ରୟାସରେ ବି କିଛିଟା ଲାଭ ଆଶା କରାଯାଉଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କଂଗ୍ରେସ ପ୍ରାର୍ଥୀ ଯଦି ବି ଚର୍ଚ୍ଚାରେ ପଛରେ ପଡ଼ିଯାଇଛନ୍ତି, ତଥାପି ବିଜେପି, ବିଜେଡ଼ିକୁ ମାତ୍‌ ଦେଇ ବିଧାୟକ ଆସନ ହାତେଇବାକୁ ଆଶା ବାନ୍ଧି ନଥିବା କୁହାଯାଇ ପାରିବନାହିଁ । ଏହି ଉପନିର୍ବାଚନରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ଷ୍ଟାର୍‌ ପ୍ରଚାରକଙ୍କ ନାମ ଦଳ ପକ୍ଷରୁ ଇତିମଧ୍ୟରେ ଘୋଷଣା କରାଯାଇଛି । ଖୋଦ୍‌ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ଟାଣୁଆ ବିଜେଡ଼ି ନେତା ପ୍ରଚାରରେ ସାମିଲ୍‌ ହେବେ ଓ ବିଜେଡ଼ି ପାଇଁ ଭୋଟ୍‌ ମାଗିବେ । ସେହିଭଳି ବିଜେପି. ମଧ୍ୟ ୪୦ ଜଣ ଷ୍ଟାର୍‌ ପ୍ରଚାରକଙ୍କ ତାଲିକାରେ ସମୀର ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଟାଣୁଆ ନେତାଙ୍କୁ ସାମିଲ୍‌ କରି ବିଧାୟକ ଆସନ ହାତେଇବାକୁ ବଳ କଷୁଛି । ତେବେ ଏହି ଉପନିର୍ବାଚନ ପ୍ରଚାର ବେଳେ ଷ୍ଟାର୍‌ ପ୍ରଚାରକଙ୍କ ଘନ ଘନ ପ୍ରଚାରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ କମ୍ପି ଉଠିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.