ବିନାୟକ ଆଚାର୍ଯ୍ୟ ସରକାରୀ କଲେଜରେ ଛାତ୍ରୀଙ୍କୁ ମାସ୍-ରାଗିଂ ଘଟଣାରେ ବ୍ରହ୍ମପୁର ଏସ୍‌ପିଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

• ଭିଡିଓରେ ସମ୍ପୃକ୍ତଥିବା ସମସ୍ତ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ନିଷ୍ପତ୍ତି, ସୂଚନା ଦେଲେ ବିନାୟକ ଆଚାର୍ଯ୍ୟ କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ କଲେଜ ଛାତ୍ରୀଙ୍କୁ ମାସ୍- ରାଗିଂ ଘଟଣାରେ ବ୍ରହ୍ମପୁର ଏସ୍‌ପି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଭିଡିଓରେ ସମ୍ପୃକ୍ତ ଥିବା ସମସ୍ତ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ନିଷ୍ପତ୍ତି ନିଆଯାଇଛି । ବିନାୟକ ଆଚାର୍ଯ୍ୟ କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା ଗୁରୁବାର ଦୃଢ଼ ନିଷ୍ପତ୍ତିର ସହ ଏହି ସୂଚନା ଦେଇଛନ୍ତି ।
ଭବିଷ୍ୟରେ ଆଉ କେହି ରେଗିଙ୍ଗ କରିବାକୁ ସାହସ କରିପାରିବେନି ବୋଲି ସାଧାରଣରେ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ମହାନଗର ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡିଛକ ଠାରେ ଅବସ୍ଥାପିତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ସିନିୟର ଛାତ୍ର ଗୋଷ୍ଠୀ ଜୁନିୟର ଛାତ୍ରୀଙ୍କ ଉପରେ କରିଥିବା ରେଗିଙ୍ଗ ଘଟଣାର ଭିଡ଼ିଓ ଭାଇରାଲ ହୋଇଥିଲା । ଏହାକୁ ଯାଞ୍ଚକରି ବ୍ରହ୍ମପୁର ପୋଲିସ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉକ୍ତ କଲେଜରେ ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରୀ ରେଗିଙ୍ଗ ଭଳି ନିର୍ଯାତନାର ଶିକାର ହୋଇଛନ୍ତି । ଛାତ୍ରୀଙ୍କୁ ଜବରଦସ୍ତ ଚୁମା ମରାଯାଇଛି, ତାଙ୍କରି କଥାରେ ରାଜି ନ ହେଲେ ଛାତ୍ର ଜଣକ ପ୍ଲାଷ୍ଟିକ ପାଇପରେ ମାଡ଼ ମଧ୍ୟ ଦେଇଥିଲେ । ମାଡ଼ ମାରିବାର ମଧ୍ୟ ଧମକ ଦେଇ ଛାତ୍ରୀଙ୍କ ହାତରୁ ବ୍ୟାଗ ଓ ମୋବାଇଲ ଛଡାଇନେବା ଏବଂ ଅନ୍ୟମାନେ ପରିହାସ କରି ମଜାନେଉଥିବା ଭଳି ଏକ ଅଦ୍ଭାବନୀୟ ଭିଡ଼ିଓ ଭାଇରାଲ ହେବା ପରେ ବ୍ରହ୍ମପୁର ପୋଲିସ ଘଟଣାର ଅଭିଯୁକ୍ତଙ୍କୁ ଧରି ଜେରା କରିଥିଲେ ଏବଂ ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଉକ୍ତ ଭିଜୁଆଲରେ ପ୍ରମାଣିତ କରୁଥିବା ସମସ୍ତେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଛାତ୍ର ଅଟନ୍ତି । କୌଣସି ବିରତି ବେଳେ ଘଟିଥିବା ଏହି ରେଗିଙ୍ଗରେ ସମ୍ପୃକ୍ତ କଲେଜର ଛାତ୍ରମାନଙ୍କ ଉପରେ କଲେଜରୁ ବହିଷ୍କାର ଭଳି କଲେଜ କର୍ତ୍ତୃପକ୍ଷ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ହେଲେ ହରିଡ଼ାଖଣ୍ଡି ଶାନ୍ତିନଗରର ଅଭିଶେଖ ନାହାକ (୨୪) ସେ ଯୁକ୍ତତିନିର ଶେଷବର୍ଷର ଛାତ୍ର, ତାଙ୍କ ନାମରେ ଗୋଟିଏ ଦୁଇଟି କ୍ରିମନାଲରେ ଜଡ଼ିତ କେସ୍‌ ରହିଛି ବୋଲି ପୋଲିସ କହୁଛନ୍ତି । ତାଙ୍କ ସହଯୋଗୀ ଅଭିଯୁକ୍ତ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ର ବବୁଲ ପଣ୍ଡା (୧୮)ଙ୍କ ସମେତ ଅନ୍ୟ ସମସ୍ତେ ନାବାଳକ ବୋଲି ଜଣାପଡିଛି । ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ରୀଙ୍କୁ ରେଗିଙ୍ଗ ହୋଇଥିବା ଘଟଣାସ୍ଥଳରେ ଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ କଲେଜରୁ ଟିସି ଦେଇ ବାହାର କରିବା ନେଇ କଲେଜ କର୍ତ୍ତୃପକ୍ଷ ନିଷ୍ପତି ଶୁଣାଇଛନ୍ତି । ଆଜି ଘଟଣାର ମୁଖ୍ୟ କର୍ପେଟଦାର ଅଭିଷେକଙ୍କୁ କୋର୍ଟ ଚାଲାଣ କରାଯିବ । ଅନ୍ୟ ନାବାଳକ ଛାତ୍ରଙ୍କୁ ଜୁଭେନାଇଲ ବୋର୍ଡରେ ହାଜର କରାଯିବ । ଭାଇରଲ ଭିଡିଓ ଘଟଣା ପୁରା ବ୍ରହ୍ମପୁର ସହରକୁ ବଦନାମ କରିଛି । ଏହିପରି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ଯେପରି ଅନ୍ୟ ଛାତ୍ରଛାତ୍ରୀ ଆଗାମୀ ଦିନରେ ଏହିପରି କାର୍ଯ୍ୟ କରିବାକୁ ଭୟ କରିବେ ବୋଲି ସାଧାରଣରେ ଆଲୋଚନା ହୋଇଛି । ଛାତ୍ରୀଙ୍କୁ ରେଗିଙ୍ଗ ଚାଲିଥିବା ବେଳେ ତାଙ୍କର ଅନ୍ୟ ସହପାଠୀ ଛାତ୍ର ଓ ଛାତ୍ରୀମାନେ ତାଳି ବଜାଇବା ଘଟଣା ନିହାତି ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ଅଟେ । ବ୍ରହ୍ମପୁର ଏସ୍‌ପି ଘଟଣା ସମ୍ପର୍କରେ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହେବା ଏବଂ ତାଙ୍କରି ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବ୍ରହ୍ମପୁର ସହରର ବିଭିନ୍ନ ମହଲରେ ଏହା ସ୍ୱାଗତଯୋଗ୍ୟ ବିଷୟ ହୋଇଛି ।


ଏ ନେଇ ବ୍ରହ୍ମପୁର ଏସପିଙ୍କୁ ବ୍ରହ୍ମପୁରର ଜନସାଧାରଣ ଭୁରିଭୁରି ପ୍ରଶଂସା କରିଛନ୍ତି । ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ଼ଃ.ସର୍ବଣା ବିବେକ ଏମ୍. କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ମଧ୍ୟ କରିଛନ୍ତି । ସୁପ୍ରିମକୋର୍ଟ ନିୟମ ମୁତାବକ ପ୍ରତ୍ୟେକ କଲେଜମାନଙ୍କରେ ଅଭିବାବକ, ଭଦ୍ରମଣ୍ଡଳୀଙ୍କୁ ନେଇ ଏକ ରେଗିଙ୍ଗକୁ ପ୍ରତିରୋଧ କରିବା ନିମନ୍ତେ ଏକ କମିଟି ଗଠନ କରିବା ନିୟମ ଅଛି । ଯାହାକି ନୂତନ ଆଡ଼ମିଶନ ପରେ ନୂତନ ଶ୍ରେଣୀରେ ଅବା ନୂତନ ଭାବେ ଆଡ଼ମିଶନ ହୋଇଥିବା ଏବଂ ପୁରୁଣା ଛାତ୍ରଛାତ୍ରୀ ମାନଙ୍କୁ ନେଇ କଲେଜ କର୍ତ୍ତୃପକ୍ଷ ଏକ ବୈଠକ କରିବା ଜରୁରୀ ବୋଲି ଗଣମାଧ୍ୟମ ଆଗରେ ଏସପି ଡ଼ଃ.ସର୍ବଣା କହିଛନ୍ତି । ତାହାକୁ ଭିତ୍ତିକରି ଆଜି ବ୍ରହ୍ମପୁର ଏସପି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଏ ।

ପ୍ରକାଶଥାଉକି, ବ୍ରହ୍ମପୁର ମହାନଗରରେ ଅବସ୍ଥାପିତ ବିଭିନ୍ନ କଲେଜରେ ଛାତ୍ରୀଙ୍କ ଉପରେ ସିନିୟର ଛାତ୍ରଙ୍କର ରେଗିଙ୍ଗ ଏକ ସ୍ୱାଭାବିକ ଘଟଣା ହେଲାଣି । ଅନେକ ସମୟରେ କଲେଜରେ ପ୍ରେମବ୍ୟାପାରକୁ କେନ୍ଦ୍ରକରି ଏବଂ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରିବା, କମେଣ୍ଟକୁ ଭିତ୍ତିକରି ଛାତ୍ର ଗଣ୍ଡଗୋଳ ପୁନଃଶ୍ଚ ଅଣ-କଲେଜ ଛାତ୍ରମାନେ କଲେଜ ହତାମଧ୍ୟରେ ପଶି ବଡ଼ଧରଣର ବିଶୃଙ୍ଖଳା, ମାରପିଟ, ଛୁରୀଭୁଷାଭୁଷି ଆଦି ଘଟଣା ମଧ୍ୟ କମନ ହୋଇଛି । ତେବେ ନିରୀହ ସରଳ ବିଦ୍ୟାର୍ଥୀ ତଥା ଛାତ୍ରୀମାନେ କଲେଜକୁ ଆସିବା ପାଇଁ ଭୟ କରୁଛନ୍ତି । ଏପରିକି ଇଞ୍ଜିନିୟର, ଡାକ୍ତରୀ, ଆଇଟିଆଇ ଏବଂ ସାଧାରଣ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରେଗିଙ୍ଗ ଘଟଣା ଘଟିବା ଏକ ସାଧାରଣ ବିଷୟ ହୋଇଛି । ଏ ନେଇ ବିଭିନ୍ନ କଲେଜମାନଙ୍କ ମଧ୍ୟରେ ନିରୀହ ଛାତ୍ର ଓ ଛାତ୍ରୀମାନେ ଘରେ ଅବା ତାଙ୍କ ଅଭିଭାବକଙ୍କୁ କହିବାକୁ ସାହସ କରି ନ ପାରି ଅନେକ ଛାତ୍ର ଅବା ଛାତ୍ରୀମାନେ ମାନସିକ ଚାପରେ ନାନା ନିର୍ଯାତନା ଭୋଗୁଛନ୍ତି । କେତେକ ବିଦ୍ୟାର୍ଥୀ ଏହା ସହ୍ୟ କରି ନ ପାରି ଆତ୍ମହତ୍ୟା ମଧ୍ୟ କରିବା ଜଣାଯାଇଛି ।

Leave A Reply

Your email address will not be published.

error: Content is protected !!