ସୁରେଶ ସୃଜନ ସମ୍ମାନ ପାଇବେ ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁସାହିତ୍ୟିକ, ସଂସ୍କୃତି ଗବେଷକ ଦିବଂଗତ ସୁରେଶ ବଳବନ୍ତରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ହୋଇଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ଚଳିତ ବର୍ଷ “ସୁରେଶ ସୃଜନ ସମ୍ମାନ-୨୦୨୨” ସମ୍ମାନରେ ଭୂଷିତ ହେବେ ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟକାର, ନିର୍ଦେଶକ, ଚଳଚିତ୍ର ଅଭିନେତା, କବି ତଥା ଲୋକସଂସ୍କୃତି ଗବେଷକ ଡକ୍ଟର ପୁରୁଷୋତ୍ତମ ମିଶ୍ର । ଆସନ୍ତା ତା.୨୬.୧୦.୨୨ ରିଖ ସଂଧ୍ୟା ୬.୦୦ ଘଟିକାରେ ଗୀତଗୋବିନ୍ଦ ସଦନ, ଭୁବନେଶ୍ୱରରେ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହେଉଥିବା “ସୁରେଶ ସମାବେଶ -୨୦୨୨”ର ବର୍ଣ୍ଣାଢ଼୍ୟ ସାରସ୍ୱତ ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସୁବିଦିତ ସାହିତ୍ୟିକ, ସଂଗଠକ, ସଂସ୍କୃତି ଗବେଷକ ସୁରେଶ ବଳବନ୍ତରାୟଙ୍କ ଜନ୍ମତିଥି ଅବସରରେ ଆୟୋଜିତ ଏହି ଉତ୍ସବରେ ଦେଶର ସୁନାମଧନ୍ୟ ଲୋକସଂସ୍କୃତି ଗବେଷକ ତଥା ଜବାହର ଲାଲ୍ ୟୁନିଭର୍ସିଟିର ପ୍ରଫେସର୍ ବ୍ରହ୍ମପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନପତ୍ର ପ୍ରଦାନ କରିବେ ଓ ବକ୍ତବ୍ୟ ରଖିବେ ବୋଲି ଟ୍ରଷ୍ଟର ସଂପାଦିକା ଡକ୍ଟର ଅନ୍ୟା ଅନୁରୂପା ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି ବିଗତ ବର୍ଷମାନଙ୍କରେ ନାଟ୍ୟକାର ମନ୍ମଥ ଶତପଥି, ନାଟ୍ୟକାର ନର୍ଦେଶକ ସୁବୋଧ ପଟ୍ଟନାୟକ ଓ ସୁବର୍ଣ୍ଣପୁରର ଅନ୍ୟତମ ସନ୍ତାନ ସିନେ ଗବେଷକ ଶ୍ରୀ ସୂର୍ଯ୍ୟ ଦେଓ ଏହି ସମ୍ମାନରେ ଭୂଷିତ ହୋଇ ସାରିଛନ୍ତି ।

Leave A Reply

Your email address will not be published.