ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

  • ବିଇଓଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ମରୁଆଁ ପଂଚାୟତ ପାଢେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବିଭାଗର ଶିକ୍ଷକ ନିଯୁକ୍ତି ଦାବୀରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହ ଳୁଚକାଳି ଖେଳ ଖେଳି ଆସୁଥିଲେ । ଯାହାକୁ ନେଇ ସ୍କୁଲ ପରିଚାଳନା କମିଟିର ସଭାପତି ଶୁଶିଲ ସରାଫଙ୍କ ନେତୃତ୍ୱରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନୂତନ ଶିକ୍ଷକ ନିଯୁକ୍ତି ଦାବୀରେ ରାଜ ରାସ୍ତାକୁ ଓହ୍ଲାଇ ଥିଲେ । ପାଟଣାଗଡରୁ ପଦ୍ମପୁର ମୁଖ୍ୟ ରାସ୍ତାକୁ ଅବରୋଧ କରି ରାସ୍ତା କଡରେ ବସିପଡିଥଲେ । ଯାହା ଫଳରେ ରାସ୍ତାର ଉଭୟ ପାଶ୍ୱରେ ଶତାଧିକ ଯାନବାହନ ଅଟକି ରହିବା ସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଠିକ୍‌ ଏହି ସମୟରେ ପଦ୍ମପୁର ପଟୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏହି ରାସ୍ତା ଦେଇ ପାଟଣାଗଡକୁ ଫେରୁଥିଲେ । ସାଂସଦ ଶ୍ରୀ ବିଶି ଗାଡ଼ିରୁ ଉହ୍ଲାଇ ଧାରଣା ସ୍ଥଳକୁ ଯାଇ ପଚାରି ବୁଝିବାରୁ ନୂତନ ଶିକ୍ଷକ ନିଯୁକ୍ତି ଦାବୀରେ ରାସ୍ତାରୋକ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ଶ୍ରୀ ବିଶି ଫୋନ ଯୋଗେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଘଟଣା ବିଷୟରେ ଅବଗତ କରାଇବାର କିଛି ସମୟ ପରେ ପାଟଣାଗଡ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଓ ତହସିଲଦାର ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ସହ ଆଲୋଚନା ପରେ ଆସନ୍ତା ସୋମବାର ଦିନ ଦୁଇଜଣ ଶିକ୍ଷକ ନିଯୁକ୍ତି ଦେବାର ଲିଖିତ ପ୍ରତିଶୃତି ଦେଇଥିଲେ । ଏହା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଓହରି ଯାଇଥିଲେ । ପରେ ସାଂସଦ ଶ୍ରୀ ବିଶି ସହ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ସ୍କୁଲରେ ଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ସାଂସଦ ଶ୍ରୀ ବିଶି ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିବା ସହ ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ନିଜସ୍ୱ ପାଣ୍ଠି ୫ ଲକ୍ଷ ଟଙ୍କା ଅନୁଦାନ ରାଶି ଦେବାକୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.