ବଲାଙ୍ଗିରଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

  • ମାନସିକ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଏହି ସଚେତନତା ରାଲିରେ ପ୍ରଜାପୀତା ବ୍ରହ୍ମକୁମାରୀ, ରେଡକ୍ରସ୍‌, ବିଙ୍ଗ ହ୍ୟୁମାନ, କୁଲୁତା ସମାଜ, ବେସରକାରୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ମିଳିତ ଆନୁକୁଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟ କିଶୋର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଭାଇସ ପ୍ରିନ୍ସିପାଲ ଡ଼. ମାନସୀ ପଣ୍ଡା, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ରୋଗ ବିଭାଗର ବିଭାଗୀୟ ମୁଖ୍ୟ ଡ଼ା. ଆଶୀର୍ବାଦ ଶତପଥି, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ଡ଼ା. ସୁଖିଶ୍ୟାମ ତ୍ରିପାଠୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ପ୍ରମୁଖ ଯୋଗଦେଇ ମାନସିକ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ଆଲୋକପାତ କରିବା ସହ ଏ ସମ୍ପର୍କରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ଡ଼ା. ତ୍ରିପାଠୀ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ମାନସିକ ରୋଗ ପ୍ରାଥମିକ ଅବସ୍ଥାରେ ସମ୍ପୂର୍ଣ୍ଣ ଆରୋଗ୍ୟ ସାଧ୍ୟ ଏବଂ ଏହି ରୋଗର ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ପରାମର୍ଶ କରିବାକୁ ସେ ସୂଚନା ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ପାତ୍ର ପ୍ରାଧିକରଣ ଦ୍ଵାରା ଯୋଗାଇ ଦିଆଯାଉଥିବା ମାଗଣା ଆଇନ ସେବା ଓ ସହାୟତା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସଭାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଭା ଶେଷରେ ମାନସିକ ରୋଗ ବିଭାଗର ନର୍ସିଂ ଅଫିସର ସ୍ଵାଗତିକା ହରପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!