ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଉଦ୍ଧାର ହୋଇ ଥଇଥାନ ହେଲେ ଜଣେ ଅଣ ଓଡ଼ିଆ ମାନସିକ ବିକୃତ ମହିଳା

ଭବାନୀପାଟଣା : ଜଣେ ଅଣ ଓଡ଼ିଆ ମାନସିକ ବିକୃତ ମହିଳା କିଛିଦିନ ହେଲା ଭବାନୀପାଟଣା ସହରର ଏପଟେ ସେପଟେ ବୁଲୁଥିଲେ । ଉକ୍ତ ମହିଳାଙ୍କୁ ଦେଖି ସହରର ଆଶିଷ ନାମକ ଜଣେ ବ୍ୟକ୍ତି କିଛି ଖାଦ୍ୟ ଦେଇ ତାଙ୍କୁ ସେଠାରେ ରହିବା ପାଇଁ କହିଥିଲେ । ଉକ୍ତ ମହିଳା ଜଣକ ଖାଦ୍ୟ ଖାଇ ଦୁଇଦିନ ଧରି ଏସ୍‌ପି ଅଫିସ ପାଖରେ ରହିଥିଲେ । ଆଶିଷ ଏହା ଜାଣିବା ପରେ ସମାଜସେବୀ ଯଶୋବନ୍ତ ରଣାଙ୍କ ସହିତ ଯୋଗାଯୋଗ କରି ଉକ୍ତ ମହିଳାଙ୍କ କିଛି ବନ୍ଦବସ୍ତ କରିବା ପାଇଁ କହିଥିଲେ । ଖବର ପାଇବା ପରେ ସମାଜସେବୀ ଶ୍ରୀ ରଣା ଉକ୍ତ ସ୍ଥାନକୁ ଯାଇ ସମସ୍ୟା ବିଷୟର ସମସ୍ତ ଘଟଣା ଦେଖି ଭବାନୀପାଟଣା ଆଇଆଇସି ପ୍ରଦୀପ ଧରୁଆ, ଡ଼ିଏସଡବ୍ଲୁ ଅଫିସରେ କାର୍ଯ୍ୟରତ ରଞ୍ଜନା ସିଂଙ୍କୁ ଜଣାଇଥିଲେ । ସୁରକ୍ଷା ଦୃଷ୍ଟିରୁ ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ତାଙ୍କୁ କୌଣସି ଆଶ୍ରମରେ ରଖିବାକୁ ଅନୁରୋଧ କରିଥିଲେ । ଆଇଆଇସି ଶ୍ରୀ ଧରୁଆ ଉକ୍ତ ମହିଳାଙ୍କୁ ସାକ୍ଷୀ ହୋମରେ ଗୋଟିଏ ଦିନ ପାଇଁ ରଖି ଦୁଇଦିନ ଭିତରେ ତାଙ୍କୁ କୌଣସି ଏକ ଆଶ୍ରମରେ ରଖିବା ପାଇଁ କହିଥିଲେ । ଶ୍ରୀ ରଣା ସାକ୍ଷୀର କର୍ମକର୍ତ୍ତାଙ୍କ ସହିତ କଥା ହୋଇ ମହିଳା କନେଷ୍ଟବଳଙ୍କ ସହାୟତାରେ ଉକ୍ତ ମହିଳାଙ୍କୁ ସାକ୍ଷୀରେ ନେଇ ରଖିଥିଲେ । ତାଙ୍କ କାଉନସେଲିଙ୍ଗ କରି ଉକ୍ତ ମହିଳାଙ୍କୁ ଗତକାଲି ଧର୍ମଗଡ଼ର ମିଶନ ଚାରିଟିରେ ଥଇଥାନ କରିଛନ୍ତି । ସ୍ୱେଚ୍ଛାସେବୀମାନଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

error: Content is protected !!