ଡାନ୍ସ କରିବାକୁ ମନା କରିବାରୁ ୧୩ ପିଲାଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ଶିକ୍ଷକ

ଗୁମ୍‌ଲା : ଝାଡଖଣ୍ଡର ଗୁମ୍‌ଲା ଜିଲ୍ଲାର ଚେନପୁର ବ୍ଲକରେ ଅବସ୍ଥିତ ସେଣ୍ଟ ମାଇକେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ଶିକ୍ଷକ ମାଡ ମାରି ୧୩ ଜଣ ଛାତ୍ରଙ୍କୁ ଆହତ କରି ଦେଇଥିବା ସୂଚନା ମିଳିଛି । ସମସ୍ତ ଛାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚେନପୁରରେ ଚିକିତ୍ସିତ ହୋଇଥିଲେ । ଯେତେବେଳେ ଅଭିଭାବକମାନେ ଶିକ୍ଷକଙ୍କ ଦ୍ୱାରା ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିବା ବିଷୟରେ ସୂଚନା ପାଇଲେ, ସେମାନେ ରାଗିଯାଇ ଚେନ୍‌ପୁର ବ୍ଲକ ବିକାଶ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ସହିତ ଚେନପୁର ପୋଲିସ ଷ୍ଟେସନରେ ମଧ୍ୟ ଏକ ଲିଖିତ ଅଭିଯୋଗ କରାଯାଇଥିଲା ଏବଂ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା । ଶିକ୍ଷକଙ୍କ ମାଡ଼ରେ ଆହତ ହୋଇଥିବା ଛାତ୍ର ରାଜା ଖାନ କହିଛନ୍ତି ଯେ, ଶିକ୍ଷକ ବିକାଶ ଓରଫ୍‌ ଶ୍ରୀଲା କୁଜୁର ତାଙ୍କୁ ନାଚିବାକୁ କହୁଥିଲେ, କିନ୍ତୁ ସେମାନେ ନାଚିବାକୁ ମନା କରିଦେଇଥିଲେ । ଏହା ପରେ କବାଟ ବନ୍ଦ କରି ଶିକ୍ଷକ ତାଙ୍କୁ ନିର୍ଦ୍ଦୟ ଭାବରେ ପିଟିଥିଲେ । ଆହତ ଛାତ୍ରଙ୍କ କହିବାନୁସାରେ, ଯେତେବେଳେ ସେମାନେ ପ୍ରଧାନଶିକ୍ଷକ ହେଣ୍ଡ୍ରି କୁଲୁଙ୍କ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ପ୍ରଧାନ ଶିକ୍ଷକ ଏହି ପିଲାମାନଙ୍କୁ ଆହୁରି ଅଧିକ ମାଡ଼ ମାରିବାକୁ କହିଥିଲେ ।

Leave A Reply

Your email address will not be published.