ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ଜଟଣୀ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ପରିଭ୍ରମଣ କରୁଥିବା ଗୋଟିଏ ଅହିଂସା ରଥକୁ ଜଟଣୀ ବ୍ଲକ ଓ ବାଲିଅନ୍ତା ବ୍ଲକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅହିଂସା ରଥ ନିର୍ଦ୍ଧାରିତ ସମୟରେ ଜଟଣୀ ଥାନାରୁ ବାହାରି ଜଟଣୀ ବ୍ଲକ ଅଂଚଳ ପରିକ୍ରମା କରିଥିଲା । ସକାଳ ୧୦ଟାରେ ବେଣାପଞ୍ଜରୀ ଉଚ୍ଚ ବିଦ୍ୟାଳୟଠାରେ ଅହିଂସା ରଥ ପହଞ୍ଚିବା ପରେ ସେଠାରେ ପଚାୟତ ସମିତି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବେଣାପଞ୍ଜରୀ ଉଚ୍ଚ ବିଦ୍ୟାଳୟଠାରେ ଅହିଂସା ରଥ ପହଞ୍ଚବା ପରେ ସେଠାରେ ପଞ୍ଚାୟତ ସମିତି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂକୀର୍ତ୍ତନ, ପାଇକଆଖଡ଼ା, ବୀର ବାଦ୍ୟ, ଅଙ୍ଗନୱାଡି, ଆଶା, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଅହିଂସା ରଥକୁ ସ୍ୱାଗତ କରିଥିଲେ । ବେଣାପଞ୍ଜରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତ, ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ଅହିଂସା ରଥକୁ ସ୍ୱାଗତ ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଠାରେ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ । ସେହିପରି ଜଟଣୀ ବ୍ଲକର ତରାବୋଇ ଗ୍ରାମ ପଂଚାୟତ ତରଫରୁ ଅହିଂସା ରଥକୁ ସ୍ୱାଗତ କରାଯିବା ସହିତ ସ୍ଥାନୀୟ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟଠାରେ ସଭା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ପରେ ଅହିଂସା ରଥକୁ ଜଟଣୀ ପୋଲିସ ଦ୍ୱାରା ସୁରକ୍ଷିତ ଭାବରେ ଜଟଣୀରୁ ବିଦାୟ ଦିଆଯିବା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତଙ୍କ ତତ୍ତ୍ୱାବଧାନରେ ଅହିଂସା ରଥ ବାଲିଅନ୍ତା ନିକଟସ୍ଥ ନିକୁଞ୍ଜ ବିହାରୀ ମନ୍ଦିରଠାରେ ବାଲିଅନ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ରଥକୁ ସ୍ୱାଗତ ଜଣାଇଥିଲେ । ବର୍ଷା ସତ୍ତ୍ୱେ ଅହିଂସା ରଥକୁ ସ୍ୱାଗତ କରିବା ପାଇଁ ଏଠାରେ ବହୁ ଜନ ସମାଗମ ହୋଇଥିଲା । ସଂକୀର୍ତ୍ତନ, ଘୋଡାନାଚ, ଲଉଡ଼ିନୃତ୍ୟ, ଘଣ୍ଟ ବାଦ୍ୟର ତାଳେ ତାଳେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା । ଗାନ୍ଧୀ ପଦଯାତ୍ରା କରିଥିବା ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିରଠାରୁ ପବିତ୍ର ମାଟି ଓ କୁଆଖାଇ ନଦୀରୁ ଜଳ ସଂଗ୍ରହ କରାଯାଇଛି । ସଂସ୍କୃତି ବିଭାଗ ତରଫରୁ ମଧ୍ୟ ସାଂସ୍କୃତିକ ଦଳ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହାପରେ ଅହିଂସା ରଥ ଟଙ୍କପାଣି ସେତୁ ପାର୍ଶ୍ୱରେ ଥିବା ଦାଣ୍ଡିଯାତ୍ରାର ସ୍ମାରକୀ ବହନ କରୁଥିବା ପ୍ରତିମୂର୍ତ୍ତି ସ୍ଥଳରେ ପହଂଚିଥିଲା । ପଥରେ ଭୁବନପୁର ପ୍ରାଥମିକ ସ୍କୁଲ, ବଇଁଚୁଆ ପଂଚାୟତ ହାଇସ୍କୁଲ ଏବଂ ହୀରାପୁରଠାରେ ଜନସାଧାରଣ ସ୍ୱାଗତ ଜଣାଇଥିଲେ ।


ଟଙ୍କପାଣି ସେତୁଠାରେ ବ୍ଲକ ପ୍ରଶାସନ, ସତ୍ୟଭାମାପୁର ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀ, ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ, ବିଡ଼ିଓ, ତହସିଲଦାର ଓ ବ୍ଲକର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏଠାରୁ ଶୋଭା ଯାତ୍ରାରେ ବାହାରି ଅହିଂସା ରଥ ବାଳକାଟୀ ସ୍ଥିତ ପ୍ରତାପ ଶାସନ ହାଇସ୍କୁଲ ଗସ୍ତ କରିଥିଲା । ଏହି ଅବସରରେ ଅହିଂସା ରଥ ବାଳକାଟୀ ବଜାର ବୁଲି ଅହିଂସାର ବାର୍ତ୍ତା ପ୍ରଚାର କରିଥିଲା । ଏକ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସମାଜସେବୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ । ପାରମ୍ପରିକ ନୃତ୍ୟ, ବାଦ୍ୟ ସହ ବିପୁଳ ଜନ ସମର୍ଥନ ମଧ୍ୟରେ ଅହିଂସା ରଥ ବାଳକାଟି ବଜାର ପରିକ୍ରମା କରିଥିଲା । ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କ ଓଡିଶା ଆଗମନ ଓ ଅହିଂସା ସମ୍ପର୍କିତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ବାଲିଅନ୍ତା ବ୍ଲକରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ, ବାଲିଅନ୍ତା ଓ ପ୍ରତାପ ଶାସନ, ୧୭ ଓ ୧୮ ଜୋନର ସମ୍ପୃକ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଂଚାୟତ ସମିତି ସଦସ୍ୟ, ସଦସ୍ୟା, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା ବିଭାଗର ଅଧିକାରୀ, ସ୍ୱଚ୍ଛ ଭାରତର ସଂଯୋଜକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.