ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ଯୋଜନା ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ମିଶନ ଶକ୍ତି ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କରାଯାଉଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟ ଜିଲ୍ଲାର ୧୩ଟି ବ୍ଲକରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ କରାଯାଇଛି । ଏହି ଜିଲ୍ଲାସ୍ତରୀୟ ଋଣ ମେଳାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ରୂପେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ବ୍ଲକ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ ଓ ବିଡିଓ ଭବାନୀପାଟଣା ପ୍ରିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଭବାନୀପାଟଣା ବ୍ଲକର ୪୪୨ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଓ ସହରାଞ୍ଚଳ ପୌରପାଳିକାର ୫୯ ଗୋଟି ମୋଟ ୫୦୧ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ପକ୍ଷରୁ ୧୧ କୋଟି ୨୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଗଲା । ଏହି ଅବସରରେ ଋଣ ଗ୍ରହିତା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଅତିଥିମାନେ ଚେକ୍ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ମହିଳାମାନେ ଋଣ ନେଇ ବିଭିନ୍ନ ଆତ୍ମନିର୍ଭରଶୀଳ ପ୍ରକଳ୍ପରେ ନିଯୁକ୍ତି ପାଇବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ୱଚ୍ଛଳ ହୋଇପାରିଛନ୍ତି ଏବଂ ଏଥି ସହିତ କିଭଳି ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିବେ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ମେଳାରେ ଏସ୍‌ବିଆଇ ମୁଖ୍ୟ ଶାଖା ସର୍ବାଧିକ ୧୩୬ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୨ କୋଟି ୮୩ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରିଥିଲେ । ସେହିଭଳି ନର୍ଲା ବ୍ଲକସ୍ତରୀୟ ଋଣ ମେଳାରେ ଆଜି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଋଣ ଗ୍ରହିତାମାନଙ୍କୁ ଚେକ୍ ପ୍ରଦାନ କରିଥିଲେ । ବିଭିନ୍ନ ବ୍ୟାଙ୍କ ତରଫରୁ ନର୍ଲାରେ ୨୧୬ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୫ କୋଟି ୬୧ ଲକ୍ଷ ଋଣ ପ୍ରଦାନ କରାଯାଇଥିଲା । ସମସ୍ତ ବ୍ଲକରେ ବିଭିନ୍ନ ବ୍ୟାଙ୍କ ତରଫରୁ ୫୨ କୋଟି ୯୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.