ଛତ୍ରପୁର ମା’ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା ଦ୍ୱିତୀୟ ଦିନରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଥିବା ବହୁ ପ୍ରାଚୀନ ଦେବୀ ପୀଠ/ମନ୍ଦିରମାନଙ୍କରେ ଷୋଡଶ ଉପଚାରରେ ଶକ୍ତିପ୍ରଦାୟିନୀ ଦେବୀଙ୍କ ପୂଜାର୍ଚ୍ଚନା ଅବା ନବରାତ୍ର ପୂଜା ଆରମ୍ଭ ହୋଇଛି । ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ଆନୁକୂଲ୍ୟରେ ମା’ ବ୍ୟାଘ୍ରଦେବୀଙ୍କ ନବରାତ୍ର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ତଥା ପ୍ରାକ୍ତନ କାଉନସିଲର, ବିଜେଡି ଯୁବନେତା ରାଜେଶ ସାହୁ ଏହି ନବରାତ୍ର ପୂଜା ସମ୍ଭାରରେ ଅଧ୍ୟକ୍ଷତା କରିଛନ୍ତି । କୁଲାଡ଼ରୁ ବରଣ ହୋଇଥିବା ବହୁ ପ୍ରାଚୀନ କାଳର ପ୍ରସିଦ୍ଧ ମା’ ବ୍ୟାଘ୍ରଦେବୀ ମନ୍ଦିରରେ ଚଳିତବର୍ଷର ଦଶହରା ପୂଜା, ବିଜୟା ଦଶମୀ ପର୍ବ ଯାଏଁ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଛତ୍ରପୁର ସହରରେ ପାଳିତ ହୋଇଥିବା ଦେଖାଦେଇଛି । ସନ୍ଧ୍ୟା ବେଳେ ଦେବୀଙ୍କ ମଙ୍ଗଳ ଆରତୀ ଦର୍ଶନ କରିବା ନିମନ୍ତେ ବହୁ ଭକ୍ତଙ୍କ ସମାଗମ ହୋଇଆସୁଛି । ଦେବୀପୂଜା ସମ୍ଭାରର ପ୍ରାକ୍‌ପ୍ରସ୍ତୁତି ପବିତ୍ର ମହାଳୟା ଦିବସରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଦିବସରେ ଦେବୀ ମା’ ଶୈଳପୁତ୍ରୀ ବେଶ ଏବଂ ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀ ବେଶରେ ଦେବୀ ଦର୍ଶନ ଦେଇଛନ୍ତି । ମଙ୍ଗଳବାର ସକାଳେ ଦେବୀଙ୍କ ସ୍ୱତନ୍ତ୍ର ରୀତିନୀତି ପ୍ରଚଳିତ ହୋଇଛି । ସନ୍ଧ୍ୟାରେ ମା’ ବ୍ୟାଘ୍ରଦେବୀ ମନ୍ଦିରରେ ଭକ୍ତଙ୍କ ଆଶାତୀତ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.

error: Content is protected !!