ଗଣେଶ ଭସାଣିକୁ ନେଇ ଗଣ୍ଡଗୋଳ : ୮ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଣେଶ ଭସାଣିକୁ ନେଇ ରାଜଧାନୀର ଦୁଇଟି ସ୍ଥାନରେ ଗଣ୍ଡଗୋଳ ହୋଇଛି । ଏହି ଘଟଣାରେ କମିସନରେଟ୍ ପୁଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ, ବେଗୁନିଆର ବଟକୃଷ୍ଣ ପାଣି, ଅଜିତ ରଂଜନ ପାତ୍ର ଓ ରମାକାନ୍ତ ପାତ୍ର, ପୁରୀ ସତ୍ୟବାଦୀର ଚିତ୍ତରଂଜନ ବେହେରା, ଇସ୍କନ ବସ୍ତିର ଆଲୋକ ବେହେରା, ସମୀର ପ୍ରଧାନ, ଛୋଟୁ ଓ ଏମ୍‌ଡି ସମୀର । ସୂଚନାନୁସାରେ, ଗତ ୩ ତାରିଖ ବିଳମ୍ବିତ ରାତିରେ ତମାଣ୍ଡୋସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଥିବା ଗଣେଶ ମଣ୍ଡପରେ ମେଲୋଡି ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଆଉ କିଛି ଯୁବକ ପୂଜା ଭସାଣି ପାଇଁ ଶୋଭାଯାତ୍ରାରେ ଆସିଥିଲେ । ଏହି ସମୟରେ ମଣ୍ଡପ ନିକଟରେ ବଟୁ ଓ ତା’ର ୪ଜଣ ସହଯୋଗୀ ସେଠାରେ ଗଣ୍ଡଗୋଳ କରିବା ସହିତ ପାଖରେ ରଖିଥିବା ବନ୍ଧୁକ ଦେଖାଇ ଲୋକଙ୍କୁ ଧମକାଇଥିଲେ । ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବଟୁ, ଚିତ୍ତ, ଅଜିତ ଓ ରମାକାନ୍ତକୁ ଗିରଫ କରିଥିଲା । ସେହିଭଳି ଗତ ୩ ତାରିଖ ଇସ୍କନ୍‌ ବସ୍ତିରେ ପୂଜା ଭସାଣିକୁ ନେଇ କିଛି ଯୁବକ ଡିଜେ ମାଲିକ ସନ୍ତୋଷଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ନୂଆପଲ୍ଲୀ ପୁଲିସ ବସ୍ତିର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

error: Content is protected !!