jayashree

୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି

  • ଗ୍ରାମାଞ୍ଚଳର ୫୨ ଭାଗରୁ ଅଧିକ ଘରକୁ ଟ୍ୟାପ ପାଣି ମିଳୁଛି
  • ୧୦କୋଟି ପରିବାରର ମହିଳା ଓ ଝିଅମାନେ ଏବେ ଘର ପାଇଁ ପାଣି ସଂଗ୍ରହ କରିବା ଜଞ୍ଜାଳରୁ ମୁକ୍ତ

ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ”ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ (ଜେଜେଏମ୍) ୧୦କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ।

୨୦୧୯ ଅଗଷ୍ଟ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍କିଲ୍ଲା ଉପରୁ ଏହି ଜଳଜୀବନ ମିଶନର ଆରମ୍ଭ ବିଷୟ ଘୋଷଣା କରିଥିଲେ । ସେତେବେଳେ ଦେଶର ଗ୍ରାମାଞ୍ଚଳରେ ମାତ୍ର ୩. ୨୩କୋଟି (୧୬.୯୦%) ପରିବାରକୁ ଟ୍ୟାପ୍ ଜଳର ସୁବିଧା ମିଳୁଥିଲା । ଯୋଜନା ଆରମ୍ଭର ତିନିବର୍ଷ ମଧ୍ୟରେ ଏବେ ୨୦୨୨ ଅଗଷ୍ଟ ୧୯ସୁଦ୍ଧା ୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳଯୋଗାଇ ଦେବା ସମ୍ଭବ ହୋଇଛି ।

ଆଜିର ତାରିଖ ସୁଦ୍ଧା ଗୋଆ, ତେଲଙ୍ଗାନା ଓ ହରିଆଣା ରାଜ୍ୟ ଏବଂ ପୁଡୁଚେରୀ, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ ଏବଂ ଅଣ୍ଡାମାନ ନିକୋବର କେନ୍ଦ୍ରଶାସିତ ଅଞ୍ଚଳରେ ଶତ ପ୍ରତିଶତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି ।

ଏହା ବ୍ୟତୀତ ପଞ୍ଜାବରେ ଏହି ଜଳ ଯୋଗାଣ ୯୯.୯୩%, ଗୁଜରାଟରେ ୯୭.୦୩%, ବିହାରରେ ୯୫. ୫୧%, ହିମାଚଳ ପ୍ରଦେଶରେ ୯୪.୮୮%ରେ ପହଞ୍ôଚ ଶତ ପ୍ରତିଶତ ଲକ୍ଷ୍ୟ ହାସଲର ନିକଟତର ହୋଇଛି ।

୨୦୨୨ ଅଗଷ୍ଟ ସାତ ତାରିଖରେ ଗୋଆ, ଦାଦ୍ରା ଓ ନଗର ହାବେଳି, ଡାମନ ଓ ଡିଉରେ ସବୁ ଗ୍ରାମୀଣ ପରିବାରକୁ ଟ୍ୟାପ ଜଳ ଯୋଗାଇ ଦିଆଯାଇ “ହର ଘର୍ ଜଲ୍” ଯୋଜନାର ପ୍ରଥମ ସଫଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଗ୍ରାମସଭା ଜରିଆରେ ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ଗ୍ରାମାଞ୍ଚଳ ପରିବାର ଟ୍ୟାପ୍ ଯୋଗେ ନିୟମିତ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାନୀୟ ଜଳ ପାଉଛନ୍ତି ।

ଜଳଜୀବନ ମିଶନର ଲକ୍ଷ୍ୟ ହେଲା ଦେଶର ସବୁ ଗ୍ରାମୀଣ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ନିରାପଦ ପାନୀୟ ଜଳ ଦୈନିକ ପାଇପ୍ ଯୋଗେ ଯୋଗାଇ ଦେବା । ଏହା ଏକ ଦୀର୍ଘ ମିଆଦି ଯୋଜନା ଏବଂ ସବୁ ଗ୍ରାମାଞ୍ଚଳ ଲୋକେ ଯେପରି ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳ ନିୟମିତଭାବେ ପାଆନ୍ତି ତାହାକୁ ନିଶ୍ଚିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି । କରୋନା ମହାମାରୀ ସମେତ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଓ ଅସୁବିଧା ସତ୍ତ୍ୱେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି କାମ ନିରନ୍ତର ଚାଲିଛି । ବଣ, ଜଙ୍ଗଲ, ଅଗମ୍ୟ ଇଲାକା, ପାହାଡ ପର୍ବତ ଓ ପ୍ରତିକୂଳ ପାଗକୁ ଖାତିର ନ କରି ଏହି ମିଶନ ତାହାର ଲକ୍ଷ୍ୟ ପଥରେ ଆଗେଇ ଚାଲିଛି, ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ । ଯେଉଁଠି ଯୋଗାଯୋଗ ଓ ଗମନାଗମନର ସୁବିଧା ନାହିଁ ସେଠାରେ ହାତୀ, ଘୋଡା, ଓଟ, ଗଧ, ହେଲିକପ୍ଟର ଓ ଡଙ୍ଗା ସାହାଯ୍ୟରେ ପାଇପ୍ ଏବଂ ଅନ୍ୟାନ୍ୟ ଉପକରଣକୁ ପରିବହନ କରାଯାଉଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିରନ୍ତର ଉଦ୍ୟମ ଫଳରେ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶର ୮.୬୭ ଲକ୍ଷ (୮୪.୩୫%) ସ୍କୁଲ ଓ ୮.୯୬(୮୦.୩୪%) ଅଙ୍ଗନବାଡି କେନ୍ଦ୍ରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ଦେଶର ୧୧୭ ଆକାଂକ୍ଷୀ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବା ବେଳକୁ ମାତ୍ର ୨୪. ୩୨ଲକ୍ଷ (୭.୫୭%) ପରିବାର ପାଖରେ ପାଇପ୍ ଜଳ ସୁବିଧା ଥିଲା । ଏବେ ସେ ସଂଖ୍ୟା ୧. ୫୪କୋଟି (୪୮.୦୦%)ରେ ପହଞ୍ôଚଛି । ତେଲଙ୍ଗାନାର ତିନିଟି ଆକାଂକ୍ଷୀ ଜିଲ୍ଲା ଯଥା ଆସିଫାବାଦ୍, ଭୂପଲପାଲି ଓ କୋଠଗୁଡେମ୍ ଏବଂ ପଞ୍ଜାବର ମୋଗା, ହରିଆଣାର ମେ ୱାଟ, ହିମାଚଳ ପ୍ରଦେଶର ଚାମ୍ବା ଆଦି ଆକାଂକ୍ଷୀ ଜିଲ୍ଲାରେ ଶତ ପ୍ରତିଶତ ଗ୍ରାମୀଣ ପରିବାର ଏବେ ଟ୍ୟାପ୍ ଯୋଗେ ପାନୀୟ ଜଳ ପାଉଛନ୍ତି ।

ଜଳଜୀବନ ମିଶନ ଦ୍ୱାରା ଗ୍ରାମାଞ୍ଚଳ ଜନତାଙ୍କ ସାମାଜିକ -ଆର୍ଥିକ ସ୍ଥିତି ଉପରେ ପ୍ରକାଣ୍ଡ ଅନୁକୂଳ ପ୍ରଭାବ ପଡିଛି। ଏହାଦ୍ୱାରା ଲୋକେ ବିଶେଷକରି ପରିବାରର ମହିଳା ଓ ଝିଅମାନେ ଦୈନିକ ପାନୀୟ ଜଳ ସଂଗ୍ରହର ଜଞ୍ଜାଳରୁ ମୁକ୍ତ ହୋଇଛନ୍ତି । ପୂର୍ବରୁ ସେମାନେ ହାଣ୍ଡି, ମାଠିଆ, ବାଲ୍ଟି ଆଦି ଧରି ବହୁ ଦୂରକୁ ଯାଇ ପାଣି ସଂଗ୍ରହ କରି ତାହାକୁ ଅତି କଷ୍ଟରେ ଘରକୁ ଆଣୁଥିଲେ । ଏବେ ସେମାନଙ୍କର ପିଇବା ପାଣି ସଂଗ୍ରହର ଜଞ୍ଜାଳ ଦୂର ହୋଇଥିବାରୁ ବଳୁଥିବା ସମୟକୁ ସେମାନେ ବିଭିନ୍ନ ପ୍ରକାର ଆୟ ପନ୍ଥାରେ ବିନିଯୋଗ କରିପାରୁଛନ୍ତି । ସମୟ ପାଇବାରୁ ସେମାନେ ବିଭିନ୍ନ ଦକ୍ଷତା ବିକାଶ କାମ ଶିଖୁଛନ୍ତି ଏବଂ ପିଲାଙ୍କୁ ପାଠ ପଢାଉରେ ସାହାଯ୍ୟ କରୁଛନ୍ତି ।

ଦେଶର ସବୁ ଗ୍ରାମୀଣ ପରିବାରକୁ ନିରାପଦ ପାନୀୟ ଜଳଯୋଗାଣ ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଏକ ଦୀର୍ଘ ମିଆଦି ଯୋଜନା । ଏଥିପାଇଁ ଉପଯୁକ୍ତ ଯୋଜନା, ରୂପାୟନ ଓ ବ୍ୟବସ୍ଥା କରାଯାଇଛି । ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଏବଂ ପାଇପ ଲାଇନର ରକ୍ଷଣାବେକ୍ଷଣ କରିବାକୁ ଉପଯୁକ୍ତ ନୀତି ପ୍ରସ୍ତୁତ କରାଯାଇ ଏଥିରେ ଗ୍ରାମ କମିଟିକୁ ନିୟୋଜିତ କରାଯାଉଛି । ଏଥି ପାଇଁ ମୋଟ ୫. ୦୮ ଲକ୍ଷ ଗ୍ରାମ ଜଳ ଓ ପରିମଳ କମିଟି/ ପାଣି ସମିତି ଗଠନ କରାଯାଇଛି । ଏହା ବ୍ୟତୀତ ୪. ୭୮ ଲକ୍ଷ ଭ୍ୟାପ୍ ପ୍ରସ୍ତତ କରାଯାଇ ତା’ ମାଧ୍ୟମରେ ଜଳ ଉତ୍ସ ଠାବ, ଏହାର ଜଳସ୍ତର ବୃଦ୍ଧି, ପରିତ୍ୟକ୍ତ ଜଳର ବିଶୋଧନ ଓ ପୁନଃ ବ୍ୟବହାର ତଥା ଗ୍ରାମ ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ତଥା ରକ୍ଷଣାବେକ୍ଷଣ କାମ ହାତକୁ ନିଆଯାଇଛି ।

ଏହି ଯୋଜନାରେ ଜଳର ମାନ ଉପରେ ସବୁଠୁ ଅଧି୍କ ଗୁରୁତ୍ୱ ଦିଆଯାଉଛି । ସେଥି ପାଇଁ ୨୦୭୦ ଜଳ ପରୀକ୍ଷା ଲାବରେଟୋରୀ ସ୍ଥାପନ କରାଯାଇଛି । ଆଜି ସୁଦ୍ଧା ଦେଶରେ ୪. ୫୧ ଲକ୍ଷ ଗ୍ରାମରେ ୬୪ଲକ୍ଷରୁ ଅଧିକ ଜଳର ମାନ ଏହି ଲାବରେଟୋରୀ ମାଧ୍ୟମରେ ପରୀକ୍ଷା କରାଯାଇଛି ।

ରାଜ୍ୟମାନଙ୍କରେ ଥିବା ଜଳ ମାନ ପରୀକ୍ଷା କେନ୍ଦ୍ରରେ ଲୋକେ ପାଣିର ନମୁନା ସ୍ୱଳ୍ପ ମୂଲ୍ୟରେ ପରୀକ୍ଷା କରିବାର ସୁଯୋଗ ମଧ୍ୟ ପାଇଛନ୍ତି । ଏହା ବ୍ୟତୀତ ଆଜି ସୁଦ୍ଧା ଦେଶର ୧୦. ୮ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଫିଲ୍ଡ ଟେଷ୍ଟିଂ କିଟ୍ସ ମାଧ୍ୟମରେ ଜଳର ମାନ ପରୀକ୍ଷା ତାଲିମ ପ୍ରଦାନ କରାଯାଇଛି । ଏହି ମହିଳାମାନେ ୧.୭ଲକ୍ଷ ଗାଁରେ କିଟ୍ ମାଧ୍ୟମରେ ୫୮ଲକ୍ଷ ଜଳ ନମୁନା ପରୀକ୍ଷା କରିଛନ୍ତି ।

Leave A Reply

Your email address will not be published.