ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ନାତକ(ୟୁଜି) ପାଠ୍ୟକ୍ରମରେ ୨୦୨୨-୨୩ ବର୍ଷ ଲାଗି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାରଠାରୁ ସାମ୍ସ ପୋର୍ଟାଲ ଜରିଆରେ ନାମଲେଖା ପାଇଁ ଆବେଦନ କରାଯାଉଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ । ପ୍ରଥମ ଦିନରେ ରାତି ୯ଟା ସୁଦ୍ଧା ୧୩,୩୧୩ ଛାତ୍ରୀଛାତ୍ର ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮୪୭ ଜଣ ଅନ୍‌ଲାଇନରେ ଆବେଦନ କରିଛନ୍ତି । ସେହିପରି ୬୭୯୯ ଜଣ ଫି’ ପୈଠ କରିସାରିଛନ୍ତି । ଆବେଦନ ପ୍ରକ୍ରିୟା ଶେଷ ହେବାପରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା ୩୧ରେ ପ୍ରକାଶ ପାଇବ । ମେଧା ତାଲିକାରେ ମନୋନୀତ ଛାତ୍ରୀଛାତ୍ରଙ୍କୁ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସେହିପରି ପରେ ୨ୟ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରୀଛାତ୍ରଙ୍କ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି କୌଣସି କଲେଜରେ ସିଟ୍‌ ବଳକା ରହେ ତେବେ ୧୬ ତାରିଖ ଅପରାହ୍ନ ୨ଟାରେ କଲେଜଗୁଡ଼ିକର ସାମ୍ସ ଇ-ପ୍ସେସ୍ରେ ପ୍ରକାଶ ପାଇବ । ସେପ୍ଟେମ୍ବର ୧୯ରୁ ଛାତ୍ରୀଛାତ୍ର ସ୍ପଟ୍‌ ନାମଲେଖା ପାଇଁ ଆବେଦନ କରିବେ । ୨୮ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ୨୯ ତାରିଖ ସା ୭ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ସାମ୍ସ ପୋର୍ଟାଲର ଅପ୍‌ଲୋଡ୍‌ ହେବ । ଚଳିତବର୍ଷ ରାଜ୍ୟରେ ୨ ଲକ୍ଷ ୪୯ ହଜାର ୩୮୯ ସିଟ୍‌ରେ ନାମଲେଖା ହେବ ।

Leave A Reply

Your email address will not be published.

error: Content is protected !!