ଫ୍ରିଜ୍‌ ଭିତରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଫ୍ରିଜ୍‌ ଭିତରୁ ମିଳିଛି । ସେ ହେଲେ ଜାକିର । ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କେହି ଜଣେ ତାଙ୍କ ହତ୍ୟା କରି ଏଭଳି କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ଜାକିର ସେହି ଅଞ୍ଚଳରେ ଏକା ରହୁଥିଲେ । ବିବାଦ କାରଣରୁ ତାଙ୍କ ସ୍ତ୍ରୀ ଓ ପିଲାମାନେ ସେହି ଅଞ୍ଚଳର ଅଲଗା ଗୋଟିଏ ଘରେ ରହୁଥିଲେ । ଜାକିର ଏକାକୀ ଘରେ ରହୁଥିବାରୁ କେହି ଏହାର ଫାଇଦା ନେଇ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ପୋଲିସ ଶୁକ୍ରବାର ରାତିରେ ଘଟଣା ସମ୍ପର୍କରେ ସୂଚନା ପାଇଥିଲା ।

ଜାକିରଙ୍କ ଜଣେ ସମ୍ପର୍କୀୟ ଫୋନ କରି ପୋଲିସକୁ ଘଟଣା ସମ୍ପର୍କରେ କହିଥିଲେ । ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଜାକିର କିଛିଦିନ ହେବ କାହା ସହ ଯୋଗାଯୋଗ କରୁ ନଥିଲେ । ନିଜକୁ ସବୁବେଳେ ଘର ଭିତରେ ବନ୍ଦ କରି ରଖୁଥିଲେ । ସେ କାହିଁକି ଏମିତି କରୁଛନ୍ତି ବୋଲି ସମ୍ପର୍କୀୟ ଜଣଙ୍କ ଶୁକ୍ରବାର ସାରେ ବୁଝିବା ପାଇଁ ଜାକିରଙ୍କ ଘରକୁ ଆସିଥିଲେ । ତେବେ ଘର ଭିତରେ ପହଞ୍ଚିଲା ବେଳକୁ ଜାକିର ଫ୍ରିଜ୍‌ ଭିତରେ ଥିବା ଜାଣିବାକୁ ପାଇଥିଲେ । ଫ୍ରିଜ୍‌ କବାଟବାଟେ ଶରୀରର କିଛି ଅଂଶ ବାହାରକୁ ବାହାରି ରହିଥିଲା । ତେଣୁ ସମ୍ପର୍କୀୟ ଜଣଙ୍କ ଜାକିରଙ୍କୁ ଏପରି ଅବସ୍ଥାରେ ଦେଖି ତୁରନ୍ତ ପୋଲିସକୁ ଫୋନ କରିଥିଲେ ।

Leave A Reply

Your email address will not be published.