ଶ୍ରାବଣର ପ୍ରଥମ ସୋମବାରରେ ହରିଶଙ୍କର ପୀଠରେ ବୋଲ୍‌ବମ୍ ଭକ୍ତଙ୍କ ପ୍ରବଳ ଭିଡ଼

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ଶ୍ରାବଣର ପ୍ରଥମ ସୋମବାର ଦିନ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠରେ ପ୍ରବଳ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁ ନଥିବା ବେଳେ ଚଳିତ ବର୍ଷ କାଉଡିଆଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବୋଲ୍‌ବମ୍ ନାରାରେ ବାଟଘାଟ ଉଛୁଳି ପଡୁଛି । ଚଳିତ ବର୍ଷ ହଜାର ହଜାର ବୋଲ୍‌ବମ୍ ଭକ୍ତଙ୍କ ସହ ଶ୍ରଦ୍ଧାଳୁ ପାପ ନାଶିନୀ ଝରଣାରେ ବୁଡ଼ ପକାଇବା ଏବଂ ସେଲାପଥରରେ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ବୋଲ୍‌ବମ୍ ଭକ୍ତମାନେ ଝରଣାରୁ ବୁଡ଼ ପକାଇ ପାଣି ନେଇ ଲମ୍ବା ଧାଡ଼ିରେ ରହି ହରିଶଙ୍କରଙ୍କ ପାଖରେ ପାଣି ଢାଲିଥିଲେ । ଚଳିତ ବର୍ଷ ବାବାଙ୍କର ଦର୍ଶନ ମିଳିଥିବାରୁ ବୋଲ୍‌ବମ୍ ଭକ୍ତଙ୍କ ମଧ୍ୟରେ ଆବେଗ ଭାବ ବେଶ ଉତ୍ସାହ ଦେଖା ଯାଇଥିଲା । ଶ୍ରାବଣ ମାସ କହିଲେ ଶିବ ବାବାଙ୍କ ମାସ ବୋଲି ଧରାଯାଏ । ଏଣୁ ହରିଶଙ୍କର ବାବାଙ୍କ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବୋଲ୍‌ବମ୍ ଭକ୍ତମାନେ ପ୍ରକାଶ କରିଛନ୍ତି । ଶ୍ରାବଣ ମାସ ସାରା ନିଷ୍ଠା ରହି ମାସର ପ୍ରତ୍ୟେକ ସୋମବାର ବାବାଙ୍କ ଦର୍ଶନ କରିଥାନ୍ତି । ଆଜି ଭୋର ସକାଳ ୩ଟାରୁ ପୂଜକ ନୃସିଂହ ପୂଝାରୀ ମନ୍ଦିରରେ ହରିଶଙ୍କର ବାବାଙ୍କ ନୀତି କାନ୍ତି ସହ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଛନ୍ତି । ବୋଲ୍‌ବମ୍ ଭକ୍ତ ପ୍ରବଳ ଭିଡକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ହରିଶଙ୍କର ଆଇଆଇସି ସେବନ କେର୍ରକେଟାଙ୍କ ସହ ପୋଲିସ ଅଧିକାରୀ ମୁତୟନ ଥିଲେ ।

Leave A Reply

Your email address will not be published.