ମୋବାଇଲ ପ୍ରେମ ମହଙ୍ଗା ପଡିଲା : ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା । ଗତ ୧୫ ତାରିଖ ଦିନ ଅଞ୍ଜିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପଙ୍କଜ ଦିଗାଲ(୨୯)କୁ ରାଇକିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ପଙ୍କଜ ଓ ଅଞ୍ଜିତାଙ୍କ ମଧ୍ୟରେ ପୂର୍ବରୁ ମୋବାଇଲ ଯୋଗେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପଙ୍କଜ ଅଞ୍ଜିତାର ନିର୍ବନ୍ଧ ହୋଇଯିବା କଥା ଜାଣିପାରି ମୋବାଇଲ ଯୋଗେ ୧୪ ତାରିଖ ଦିନ ବୁଲି ଯିବାକୁ କହିଥିଲା । କଥା ଅନୁଯାୟୀ ଗତ ୧୪ ତାରିଖ ଅର୍ଥାତ ଗୁରୁବାର ଦିନ ଅଞ୍ଜିତା ବାପାଙ୍କୁ ଫୁଲବାଣୀ ଯିବାକୁ କହି ଘରୁ ବାହାରି ଆସିଥିଲା । ଏହା ପରେ ପଙ୍କଜ ଓ ଅଞ୍ଜିତା ମଣ୍ଡାସାରୁ ଓ ଦାରିଙ୍ଗବାଡି ବୁଲିବାକୁ ଯାଇଥିଲେ । ଅଞ୍ଜିତା ବାପାଙ୍କୁ ଫେରିବା ବିଳମ୍ବ ହେବ କହି ମୋବାଇଲ ଫୋନ ସୁଇଚ ଅଫ କରି ଦେଇଥିଲା । ତେବେ ପଙ୍କଜ ତାକୁ ଦୁଷ୍କର୍ମ କରିବା ଘଟଣା ପ୍ରଘଟ ଆଶଙ୍କାରେ ପଥର ଛେଚି ହତ୍ୟା କରିଥିଲା ବୋଲି ପଙ୍କଜ ପୁଲିସ ଆଗରେ ବର୍ଣ୍ଣନା କରିଥିଲା । ପ୍ରକାଶ ଥାଉକି ପଙ୍କଜ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିବା ଅପରାଧରେ ୭ ବର୍ଷ ସଜା କାଟିଥିବା ସୂଚନା ମିଳିଛି । ଏନେଇ ଥାନା କେସ ନଂ ୭୩/୨୨ ଦଫା ୩୦୨ ଆଇପିସିରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ପଙ୍କଜକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଉପଖଣ୍ଡ ପୁଲିସ ଅଧିକାରୀ ଡ. ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି । ତଦନ୍ତ ଅଧିକାରୀ ଶାନ୍ତନୁ ପ୍ରଧାନ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.