jayashree

ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ସ୍ମୃତିରେ ମେଧା ସମ୍ବର୍ଦ୍ଧନା ଉତ୍ସବ ୨୦୨୨ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ରଘୁନାଥ ନୋଡାଲ ଉଚ୍ଚବିଦ୍ୟାଳୟ ବେନ୍ଦ୍ରାରେ ସ୍କୁଲ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ସ୍ମୃତିରେ ଏକ ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ବଡପୁଅ ଅଜିତ କୁମାର ମିଶ୍ର ଯୋଗଦାନ କରିଥିଲେ । ପ୍ରକାଶ ଯେ, ଉତ୍ସବଟି ଅଜିତ କୁମାର ମିଶ୍ରଙ୍କ ନିଜସ୍ୱ ଅନୁଦାନରେ ଆୟୋଜିତ ହୋଇଥିଲା ଓ ପ୍ରତିବର୍ଷ ମେଧା ଛାତ୍ରଛାତ୍ରୀମାନଙ୍କୁ ମେଧା ବୃତ୍ତି ପ୍ରଦାନ କରାଯିବ । ଉତ୍ସବରେ ପୂର୍ବତନ ସ୍କୁଲ ପରିଚାଳନା କମିଟି ସଂପାଦକ ମୂରଲୀଧର ମିଶ୍ର, ପୂର୍ବତନ ଆଗଲପୁର ବ୍ଲକ ଚେୟାରମେନ ରତ୍ନାକର ମିଶ୍ର, ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଭିକାରୀଚରଣ ମିଶ୍ର, ବର୍ତ୍ତମାନ ପ୍ରଧାନ ଶିକ୍ଷକ ସେବଦତ୍ତ ପଧାନ, ବର୍ତ୍ତମାନ ସ୍କୁଲ ପରିଚାଳନା କମିଟି ଚେୟାରମେନ ଝସକେତନ ବାରିକ, ତଥା ଅଜିତ କୁମାର ମିଶ୍ରଙ୍କ ସହଧର୍ମିଣୀ ଓ ବଡପୁଅ ଆଦିତ୍ୟ ମିଶ୍ର ମଞ୍ଚାସୀନ ଥିଲେ । ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ, ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ବୃନ୍ଦ, ଗ୍ରାମର ୱାର୍ଡସଭ୍ୟ/ସଭ୍ୟା ତଥା ଗ୍ରାମର ଅନେକ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଉତ୍ସବରେ ଯୋଗଦାନ କରିଥିଲେ । ପୂର୍ବତନ ସ୍କୁଲ ପରିଚାଳନା କମିଟି ସଂପାଦକ ମୂରଲୀଧର ମିଶ୍ର ୧୯୬୬ ମସିହାରେ କିଭଳି ଭାବେ କେତେ ପରିଶ୍ରମରେ ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ସହ ହାଇସ୍କୁଲ ଆରମ୍ଭ କରିଥିଲେ ତାହା ନିଜ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ । ପୂର୍ବତନ ଆଗଲପୁର ବ୍ଲକ ଚେୟାରମେନ ରତ୍ନାକର ମିଶ୍ର ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ବେନ୍ଦ୍ରା ହାଇସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବେନ୍ଦ୍ରା, ରୋତ କଲେଜ, ଆଗଲପୁର- ବ୍ଲକ ଅଫିସ ଆଦି ଅନେକ ଅନୁଷ୍ଠାନ ମାନ ଗଢି ତୋଳିବାରେ ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ଅବଦାନ ରହିଛି । ସମ୍ମାନିତ ଅତିଥି ଅଜିତ ମିଶ୍ର ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଏକ ସୁନ୍ଦର ଗପ ମାଧ୍ୟମରେ ଟୋପିବିକାଳି ଓ ମାଙ୍କଡମାନଙ୍କ ଉପାଖ୍ୟାନ କହି ଉତ୍ସାହିତ କରି ଆଗାମୀ ପରୀକ୍ଷାରେ ମାର୍କରେ ୫ ଶତକଡା ଅଧିକ ନମ୍ବର ରଖିବା ପାଇଁ ପରାମର୍ଶ ଦେଇ ପ୍ରତିବର୍ଷ ମେଧା ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରିବା ପାଇଁ ପ୍ରକାଶ କରିଛନ୍ତି । ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ୨୦୨୧-୨୨ ଦଶମ ବୋର୍ଡ ପରୀକ୍ଷାରେ ସ୍କୁଲର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ମୀନକେତନ ପଧାନ ଓ ଛାତ୍ରୀ ସ୍ୱାଗତିକା ସୁନାକୁ ଏକ ଏକ ଟ୍ରଫି ସହ ୨୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରି ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ୧୦୦୦, ୧୨୦୦, ୧୪୦୦, ୧୫୦୦, ୨୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରି ଚଳିତ ୨୦୨୧-୨୨ ଜାତୀୟ ଆୟଭିତ୍ତିକ ମେଧା ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ବର୍ଷା ରାଣୀ ମିଶ୍ରକୁ ଏକ ଟ୍ରଫି ଓ ୨୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ଉତ୍ସବରେ ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କ ଦ୍ୱାରା ଏକ ସୁନ୍ଦର ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଗଣିତ ଶିକ୍ଷକ ପ୍ରଦୀପ ପଧାନ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଂଗ କରିଥିଲେ ।

Leave A Reply

Your email address will not be published.