ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତି ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଗଲା

• ବିଗତ ୮ ବର୍ଷ ମଧ୍ୟରେ ସରକାର ୨୨୮ଟି ଐତିହ୍ୟ ସାମଗ୍ରୀ ଦେଶକୁ ଫେରାଇ ଆଣିଛନ୍ତି, ଅନ୍ୟପଟେ ସ୍ବାଧୀନତା ପରେ ୨୦୧୩ ପର୍ୟ୍ୟନ୍ତ ଭାରତକୁ ମାତ୍ର ୧୩ଟି ପ୍ରାଚୀନ ପ୍ରତିମୂର୍ତ୍ତି ଅଣାଯାଇଥିଲା : ଜି. କିଷନ ରେଡ୍ଡୀ
• ବିଶ୍ବ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତା କାରଣରୁ ଏସବୁ ଦେଶରେ ଚୋରି ହୋଇଥିବା ପ୍ରାଚୀନ ସାମଗ୍ରୀକୁ ଠାବ କରାଯିବା ସହିତ ସେଗୁଡ଼ିକୁ ଦେଶକୁ ଫେରାଇ ଆଣିବାରେ ସହଯୋଗ ମିଳିପାରିଛି : ଜି. କିଷନ ରେଡ୍ଡୀ
• ଭୂଗୋଳ ସହିତ ଇତିହାସର ସମ୍ପର୍କ ରହିଛି । ଏକ ନିରନ୍ତର ସଭ୍ୟତା ଭାବେ, ଭାରତର ଐତିହ୍ୟ ଦେଶର ମନ୍ଦିର ଓ ଐତିହାସିକ ସ୍ଥାନ ସହ ଜଡ଼ିତ ହୋଇ ରହିଛି । ଆମ ଭଗବାନଙ୍କ ପ୍ରତିମୂର୍ତ୍ତି ଫେରାଇ ଆଣିବା ଆମ ଐତିହ୍ୟର ସଂରକ୍ଷଣ, ପ୍ରୋତ୍ସାହନ ଓ ପ୍ରଚାର ପାଇଁ ଏକ ପ୍ରୟାସ : ଜି. କିଷନ ରେଡ୍ଡୀ

ନୂଆଦିଲ୍ଲୀ, (ପିଆଇବି) : ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତିକୁ ଗତକାଲି ନୂଆଦିଲ୍ଲୀଠାରେ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜି. କିଷନ ରେଡ୍ଡୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ଠାରେ ଆୟୋଜିତ ପ୍ରତିମୂର୍ତ୍ତି ହସ୍ତାନ୍ତର ସମାରୋହରେ ଯୋଗ ଦେଇ ତାମିଲନାଡ଼ୁ ସରକାରଙ୍କୁ ପ୍ରତିମୂର୍ତ୍ତିଗୁଡ଼ିକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିଥିଲେ । ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖୀ, ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ, ସଂସ୍କୃତି ମନ୍ତ୍ରଣାଳୟ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।
ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ବିଗତ ୮ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ପ୍ରାଚୀନ ସଭ୍ୟତାର ସଂରକ୍ଷଣ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ସୁରକ୍ଷା ଏବଂ ବିଶ୍ୱରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଓ ପରମ୍ପରା ପ୍ରୋତ୍ସାହନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଶ୍ରୀ ରେଡ୍ଡୀ କହିଥିଲେ ଯେ, ଭୂଗୋଳ ସହିତ ଇତିହାସର ସମ୍ପର୍କ ରହିଛି । ଏକ ନିରନ୍ତର ସଭ୍ୟତା ଭାବେ, ଭାରତର ଐତିହ୍ୟ ଦେଶର ମନ୍ଦିର ଓ ଐତିହାସିକ ସ୍ଥାନ ସହ ଜଡ଼ିତ ହୋଇ ରହିଛି । ଆମ ଭଗବାନଙ୍କ ପ୍ରତିମୂର୍ତ୍ତି ଫେରାଇ ଆଣିବା ଆମ ଐତିହ୍ୟର ସଂରକ୍ଷଣ, ପ୍ରୋତ୍ସାହନ ଓ ପ୍ରଚାର ପାଇଁ ଏକ ପ୍ରୟାସ । ସେ ଆହୁରି କହିଥିଲେ ଯେ, ବିଶ୍ୱ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତା କାରଣରୁ ଏସବୁ ଦେଶରେ ଚୋରି ହୋଇଥିବା ପ୍ରାଚୀନ ସାମଗ୍ରୀକୁ ଠାବ କରାଯିବା ସହିତ ସେଗୁଡ଼ିକୁ ଦେଶକୁ ଫେରାଇ ଆଣିବାରେ ସହଯୋଗ ମିଳିପାରିଛି । ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ସବୁ ଶ୍ରେୟ ପାଇବାର ହକ୍‌ଦାର । ସେ କେବଳ ଏସବୁ ବିରଳ ପ୍ରତିମୂର୍ତ୍ତିକୁ ଫେରାଇ ଆଣିବାକୁ ପ୍ରୟାସ କରିନାହାନ୍ତି, ନିଜର ବିଦେଶ ଗସ୍ତ ସମୟରେ ଏସବୁକୁ ଦେଶକୁ ସାଥୀରେ ନେଇ ଆସିଛନ୍ତି ।
ଆଜି ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ପ୍ରାଚୀନ ପ୍ରତିମୂର୍ତ୍ତି ମଧ୍ୟରେ ରହିଛି, ଦ୍ୱାରପାଳ, ନଟରାଜ, କଙ୍କଲମୂର୍ତ୍ତି କାଦୟମ, ନନ୍ଦୀକେଶ୍ୱର କାଦାୟମ, ଚତୁର୍ଭୂଜ ବିଷ୍ଣୁଙ୍କ ମୂର୍ତ୍ତି, ଶ୍ରୀଦେବୀ, ଶିବ ଓ ପାର୍ବତୀ, ଶିଶୁ ସମ୍ବନ୍ଦରଙ୍କ ଦଣ୍ଡାୟମାନ ମୂର୍ତ୍ତି ଏବଂ ଶିଶୁ ସମ୍ବନ୍ଦରଙ୍କ ମୂର୍ତ୍ତି ଆଦି । ୨୦୧୪ ପରଠାରୁ ପ୍ରାଚୀନ ଦେବାଦେବୀଙ୍କ ମୂର୍ତ୍ତି ଫେରାଇ ଆଣିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଏକକାଳୀନ ୧୫୭ଟି ପ୍ରାଚୀନ ମୂର୍ତ୍ତିକୁ ଭାରତ ଫେରାଇ ଅଣାଯାଇଛି । କେନ୍ଦ୍ର ମନ୍ତ୍ରୀ କହିଥିଲେ, ‘‘ଆପଣମାନେ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ବିଗତ ୮ ବର୍ଷ ମଧ୍ୟରେ ସରକାର ୨୨୮ଟି ଐତିହ୍ୟ ସାମଗ୍ରୀ ଦେଶକୁ ଫେରାଇ ଆଣିଛନ୍ତି, ଅନ୍ୟପଟେ ସ୍ବାଧୀନତା ପରେ ୨୦୧୩ ପର୍ୟ୍ୟନ୍ତ ଭାରତକୁ ମାତ୍ର ୧୩ଟି ପ୍ରାଚୀନ ପ୍ରତିମୂର୍ତ୍ତି ଅଣାଯାଇଥିଲା ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ଭାରତ ଏବେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଭାରତ ୨୫ ବର୍ଷର ଅମୃତ କାଳରେ ପ୍ରବେଶ କରୁଥିବାରୁ ସ୍ବଦେଶୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ବିଶ୍ବ ସ୍ତରରେ ନେତୃତ୍ବ ନେବାର ଏକ ସୁଯୋଗ ଆସିଛି । ଏହି କାର୍ୟ୍ୟକ୍ରମ ଏବଂ ଚୋରି ହୋଇଥିବା ଐତିହ୍ୟକୁ ଫେରାଇ ଆଣିବାର ପ୍ରକ୍ରିୟା ଅଣଉପନିବେଶବାଦ ଉପରେ ଏକ ମୁକ୍ତ ଏବଂ ସଚ୍ଚୋଟ ମତ ବିନିମୟ ପାଇଁ ଅନୁମତି ଦେବ ।

Leave A Reply

Your email address will not be published.