ସୁନାମଧନ୍ୟ ଏଣ୍ଡୋକ୍ରୋନୋଲୋଜିଷ୍ଟ ଡା ସୁନୀଲ କୁମାର କୋଟା ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ଗ୍ରନ୍ଥାଳୟରେ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦେଲେ ବହୁମୂଲ୍ୟ ପରାମର୍ଶ

  • ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଜିଲ୍ଲାପାଳଙ୍କ ଉପଦେଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଗତକାଲି ଓଡିଶାର ପ୍ରଖ୍ୟାତ ଏଣ୍ଡୋକ୍ରୋନୋଲୋଜିଷ୍ଟ ଡା ସୁନୀଲ କୁମାର କୋଟାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ଗ୍ରନ୍ଥାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଜୀବନ ଚର୍ୟା ଉପରେ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନୀଲ ନରୱଣେ ସଭାପତିତ୍ୱ କରି ସମସ୍ତଙ୍କୁ ଉପଯୁକ୍ତ ସନ୍ତୁଳିତ ଆହାର ନେବା ସହିତ ପ୍ରତିଦିନ ବ୍ୟାୟାମ, ଯୋଗ, ପ୍ରାଣାୟାମ କରିବା ପାଇଁ ଉପଦେଶ ଦେଇଥିଲେ । ଡଃ କୋଟା ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଲାଇଫ ଷ୍ଟାଇଲ ଡିଜିଜ ଯଥା -ବ୍ଲଡ୍ ପ୍ରେସର, ମଧୁମେହ ଏବଂ ଥାଇରୋଏଡ଼ ଇତ୍ୟାଦି ରୋଗରୁ କିଭଳି ରକ୍ଷା ପାଇ ହେବ ତା’ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଡାକ୍ତରଙ୍କ ସହ ଆସିଥିବା ସହକର୍ମୀମାନେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ଲଡ୍ ପ୍ରେସର୍, ସୁଗାର ଓ ଥାଇରୋଏଡ଼ ଟେଷ୍ଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ, ପିଡି ଡିଆରଡିଏ ଡୋଲାମଣୀ ପଟେଲ୍, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ଜିଲ୍ଲା ଗ୍ରନ୍ଥାଳୟରେ ପାଠକ ପାଠିକା ମାନଙ୍କୁ ନେଇ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଯୁବବର୍ଗ କିଭଳି ଭାବେ ଉଭୟ ଶାରୀରିକ ଓ ମାନସିକ ଚାପକୁ ପରାହତ କରି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହୋଇପାରିବେ ସେ ବିଷୟରେ ଡଃ କୋଟା ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଡେପୁଟି କଲେକ୍ଟର ଡଃ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଗ୍ରନ୍ଥାଳୟର ଲାଇବ୍ରେରିଆନ ବିଦ୍ୟାପତି ପଣ୍ଡା, କର୍ମଚାରୀ ବିନୋଦ କିଶୋର ଦାନୀ, ସୁଦେ ସୁନା ପ୍ରମୁଖ ସହଯୋଗ କରିଥିଲେ । ଯୁବ ପାଠକ ମାନଙ୍କ ପାଇଁ ଏହି ପରାମର୍ଶ ବୈଠକ ବହୁତ ଉପଯୋଗୀ ହୋଇଥିଲା ।

Leave A Reply

Your email address will not be published.