- ନବୀନ ବିଶ୍ୱବନ୍ଧୁ
କ୍ଷେତ୍ରପାଳ ଚୁଡ଼ଙ୍ଗ ଦେଓ ସୁବର୍ଣ୍ଣଗିରିରେ ଦେବତାମାନଙ୍କ ସଭା ଡାକିଲେ । ସମବେତ ହେଲେ ଲକ୍ଷେକୋଟି ଦେବାଦେବୀ । ଶୁଲିଆ ବୁଢ଼ା ଓ ଜଗନ୍ନାଥ ବି ସେ ସଭାରେ ଉପସ୍ଥିତ ଥିଲେ । କ୍ଷେତ୍ରପାଳ କହିଲେ- ‘ତମେ ଦେବାଦେବୀମାନେ ସମସ୍ତେ ମୋର ପ୍ରିୟ ଓ ଆରାଧ୍ୟ । ମାତ୍ର, ସମସ୍ତେ ଅଲଗା ଅଲଗା ଜାଗାରେ ରହୁଥିବାରୁ ତମମାନଙ୍କୁ ମୁଁ ପ୍ରତିଦିନ ପୂଜା କରିପାରୁନାହିଁ । ଏଣୁ ମୁଁ ପୃଥିବୀର ସବୁଠୁ ବଡ଼ ଦେଉଳ ବନାଉଛି । ତମେ ସମସ୍ତେ ଏକ ହୋଇ ଜଣେ ଦେବତା ହୋଇଯାଅ । ତମ ସମସ୍ତଙ୍କ ଭୋଗ ମିଶାଇ ସେଇ ବଡ଼ ଦେବତାକୁ ଭୋଗ ଲଗେଇବି । ତମେ ସମସ୍ତେ ଚାଲିଚାଲି ଯାତ୍ରା କରୁଛ, ନଗର ଭ୍ରମଣ କରୁଛ । ତମ ପାଇଁ ମୁଁ ପୃଥିବୀର ସବୁଠୁ ବଡ଼ ରଥ ତିଆରି କରିବି । ସେଇ ରଥ ଯେଉଁ ଖୁଲିରେ ଗଡ଼ିବ, ତାହା ହେବ ବଡ଼ଦାଣ୍ଡ ।’ ହିସାବ କରିବାରୁ ସମସ୍ତଙ୍କ ଭୋଗ ମିଶାଇ ଚଉଷଠି ପଉଟି ଭୋଗ ହେଲା । ତେଷଠି ପଉଟି ଶୁକ୍ଲଭୋଗ ଓ ଗୋଟିଏ ପଉଟି ବଳିଭୋଗ“““ । ତା’ପରେ ସମସ୍ତେ ମିଶି ବଡ଼ ଦେଉଳକୁ ଗଲେ । ମାତ୍ର, ବାଇଶି ପାହାଚକୁ ଚଘୁଚଘୁ ଭୋଗର ଭାଗକୁ ନେଇ ଦେବୀଦେବତାମାନଙ୍କ ଭିତରେ କନ୍ଦଳ ହେଲା । ଶୁଲିଆ ବୁଢ଼ା ଆଉ ସେଠାରେ ରହିବାକୁ ଚାହିଁଲେ ନାହିଁ । ସେ ତାଙ୍କର ତିନି ପଉଟି ଭୋଗ ଫେରାଇଆଣି ବାଇଶି ପାହାଚରୁ ଉତୁରି ଆସିଲେ । ତା’ପରେ ଦୁର୍ଗମ ବଣ ପାହାଡ଼ ନଦ ନଦୀ ଡେଇଁ ଦଣ୍ଡା ଡଙ୍ଗରରେ ଅବସ୍ଥାନ କଲେ । ତାଙ୍କର ଅନୁଚର ଦେବାଦେବୀମାନେ ‘ମଉସିଆ ଚକ’ର ବିଭନ୍ନ ଘାଟ, ଦୋ ମୁହାଣୀ ବାଟ, ଗିରିଶୃଙ୍ଗ, ଗୁମ୍ଫା, ପାହାଡ଼ ଖୋଲ ଓ ପଦର ମୁଣ୍ଡରେ ରହିଲେ । ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଅନୁଷ୍ଠିତ ହୁଏ ଶୁଲିଆ ଯାତ୍ରା । ତା’ ପୂର୍ବଦିନ ହଳଦୀପାଣି ଢାଳି ଲକ୍ଷେକୋଟି ଦେବୀଦେବତାଙ୍କୁ ଭୋଗ ଖାଇବାକୁ ଶୁଲିଆ ବୁଢ଼ାଙ୍କ ପାଟଦେହେରିଆ ନିମନ୍ତ୍ରଣ କରେ । ଏହାକୁ ‘ଦେ’ ନିଉତା’ କୁହାଯାଏ । ଶୁଲିଆ ବୁଢ଼ା ଶୁକ୍ଲ ପୂଜା ଗ୍ରହଣ କରନ୍ତି । ତାଙ୍କର ତିନି ପଉଟି ଅନ୍ନଭୋଗ । ତିନୋଟି ପଥରକୁ ଇଟଲା କରି ତିଆରି ହୋଇଥିବା ଚୁଲିରେ ନୂଆ ମାଟିପାତ୍ରରେ କଲୁଆଁ ଫୁଟାଯାଏ । ସେଇ ତିନିପଥର ଉପରେ ଆଡ଼ କରି ଥୋଇ ଦିଆଯାଏ ଗଣ୍ଠି ତଳୁ କଟା ଯାଇଥିବା ତିନୋଟି ବାଉଁଶ ପବ । ସେଇ ପବଗୁଡ଼ିକର ଉପର ଆଡ଼କୁ ମଧ୍ୟ ଗଣ୍ଠି ତଳୁ କଟାଯାଇଥାଏ । ସେହି ତିନୋଟି ବାଉଁଶ ପାତ୍ରରେ ଅରୁଆ ଚାଉଳ ଓ ପାଣି ଦେଇ ଭୋଗ ରନ୍ଧାଯାଏ । ସେହି ବାଉଁଶ ନଳିରେ ରନ୍ଧା ହୋଇଥିବା ତିନି ପଉଟି ଭାତ ଓ କଞ୍ଚା ଗୋରସ ହିଁ ଶୁଲିଆଙ୍କ ଭୋଗ । ମାଟି ସରେଇରେ ରନ୍ଧା ହୋଇଥିବା କଲୁଆଁ ଓ ବଳିଭୋଗ ନିମନ୍ତ୍ରିତ ଲକ୍ଷେକୋଟି ଦେବୀଦେବତାଙ୍କ ଭୋଗ । ପରବର୍ତ୍ତୀ ସମୟରେ ଶୁଲିଆଙ୍କ ପାଖରେ ନଡ଼ିଆ ଓ ଜୁଗାର ଅର୍ପଣ କରାଯାଉଛି ।