ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଶିକ୍ଷାବିତ୍, ସାମ୍ବାଦିକ ଏବଂ ସାହିତ୍ୟିକ ଥିଲେ । ତାଙ୍କର ମହାନ ତ୍ୟାଗ ଓ ସେବା ପାଇଁ ତାଙ୍କୁ “ଉତ୍କଳମଣି” (ଓଡ଼ିଶାର ମଣି) ଉପାଧିରେ ଭୂଷିତ କରାଯାଇଥିଲା । ସେ ନିଜର ସୁଖ-ସମୃଦ୍ଧିକୁ ପରିତ୍ୟାଗ କରି ସମାଜ ଓ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ବନ୍ୟା, ମରୁଡ଼ି ଓ ହଇଜା ପରି ମହାମାରୀ ସମୟରେ ସେ ଲୋକଙ୍କ ନିକଟରେ ପହଞ୍ଚି ନିଜେ ସେବା କରୁଥିଲେ । ତାଙ୍କର ଏହି ମହାନ ମାନବିକତା ତାଙ୍କୁ ଦୀନ ଦରିଦ୍ରଙ୍କ ବନ୍ଧୁ କରି ଗଢ଼ିଥିଲା । ସେ ଜାତୀୟତାବାଦୀ ଆନ୍ଦୋଳନରେ ସକ୍ରିୟ ଥିଲେ ମଧ୍ୟ କ୍ଷମତା ପାଇଁ ଲାଳାୟିତ ନଥିଲେ । ତାଙ୍କ ରାଜନୀତି ନୈତିକତା ଏବଂ ଜନକଲ୍ୟାଣ ଉପରେ ପର୍ଯ୍ୟବସିତ ଥିଲା । ତାଙ୍କ ଲେଖାଗୁଡ଼ିକରେ ଗଭୀର ଦେଶପ୍ରେମ ଏବଂ ସାମାଜିକ ଚେତନା ଭରି ରହିଥିଲା । ସେ ସାହିତ୍ୟକୁ କେବଳ ମନୋରଞ୍ଜନର ମାଧ୍ୟମ ନକରି ଜାତୀୟ ଜାଗରଣର ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ବ୍ୟବହାର କରିଥିଲେ । ସେ ଉତ୍କଳ ସମ୍ମିଳନୀର ଜଣେ ପ୍ରମୁଖ ସଦସ୍ୟ ଭାବରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ର କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦୃଢ଼ ଦାବି କରିଥିଲେ । ତାଙ୍କର ନେତୃତ୍ୱ ଓଡ଼ିଆ ଭାଷା ଓ ଜାତିର ସ୍ୱାଭିମାନ ପାଇଁ ଥିଲା ଏକ ବଡ଼ ପ୍ରେରଣା । ପଞ୍ଚ ସଖାଙ୍କ ସହ ମିଶି ସାକ୍ଷୀଗୋପାଳ ନିକଟରେ ‘ସତ୍ୟବାଦୀ ବନ ବିଦ୍ୟାଳୟ’ ପ୍ରତିଷ୍ଠା କରି ଓଡ଼ିଶାରେ ଜାତୀୟ ଶିକ୍ଷାର ମୂଳଦୁଆ ପକାଇଥିଲେ । ସେ ‘ସମାଜ’ ଖବରକାଗଜ ପ୍ରତିଷ୍ଠା କରି ଓଡ଼ିଶାର ଦୁଃଖ, ଦୁର୍ଦ୍ଦଶା, ରାଜନୈତିକ ଚେତନା ଏବଂ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଅସ୍ପୃଶ୍ୟତା ନିବାରଣ, ସାମାଜିକ କୁସଂସ୍କାର ଦୂରୀକରଣ ପାଇଁ ସେ ସଦା ଚେଷ୍ଟିତ ଥିଲେ । ତାଙ୍କ ରଚିତ କବିତାରେ ଗଭୀର ମାନବବାଦ ଓ ଦେଶପ୍ରେମ ପ୍ରତିଫଳିତ ହୋଇଥାଏ । ଗୋପବନ୍ଧୁ ଦାସ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କର କାର୍ଯ୍ୟ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିଛି । ରାଉରକେଲାର ପ୍ରମୁଖ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳନ ସହ ବାର୍ଷିକ ଉତ୍ସବରେ ଯୋଗ ଦେଇ ଅତିଥି ତଥା ବକ୍ତାମାନେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ପାଠାଗାରର ଦ୍ୱାବିଂଶତମ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ଭାବେ କବି ରାଜୀବ ପାଣି ଯୋଗ ଦେଇ ଗୋପବନ୍ଧୁଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ସାଧାରଣ ସମ୍ପାଦକ ହରିହର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ହରିହର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପାଠାଗାରର ସ୍ମରଣିକା ପ୍ରବାହକୁ ଉନ୍ମୋଚନ କରାଯାଇଥିଲା ବେଳେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପାଇଁ ସନ୍ଦୀପ କୁମାର ପଟ୍ଟନାୟକ, ବିଜୟ କୁମାର ମହାନ୍ତି, ପ୍ରଦୀପ କୁମାର ପ୍ରଧାନ, ଭୋଜରାଜ ସାହୁ ଏବଂ ମହେନ୍ଦ୍ର କୁମାର ସାହୁଙ୍କୁ ପାଠାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଏବଂ ଗଦାଧର ରଥ ମାନପତ୍ର ପାଠ କରିଥିଲେ । ପ୍ରାରମ୍ଭରେ ଗୁରୁ ମୃତ୍ୟୁଞ୍ଜୟ ବାସାଙ୍କ ନିର୍ଦ୍ଦେଶନାରେ ଦେବନୃତ୍ୟମ୍ ଡେନ୍ସ ଷ୍ଟୁଡିଓ ଗ୍ରୃପ୍ର ଶିଳ୍ପୀମାନେ ଗଣେଶ ବନ୍ଦନା ନୃତ୍ୟ ପରିବେଷଣ କରିଥିଲେ । ଲୀନା ସେନାପତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସକାଳେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଦସ୍ୟମାନେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମକର୍ତ୍ତା ସହାୟତା କରିଥିବାବେଳେ ମହେନ୍ଦ୍ର କୁମାର ପଟ୍ଟନାୟକ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଡାକ୍ତର ଗୋକୁଳାନନ୍ଦ ସାହୁ, ଜୟନ୍ତ କୁମାର ମିଶ୍ର, ସୁଶାନ୍ତ କୁମାର ଦାସ, ପ୍ରମିଳା ପଣ୍ଡା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସବିତା ସାହୁଙ୍କ ଶତାଧିକ ସଦସ୍ୟ ସଦସ୍ୟା ତଥା ରାଉରକେଲାର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଏବଂ ସାହିତ୍ୟ- ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
Next Post