- ଆଗାମୀ ଦିନରେ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ହେଉ କି ଦେଶର କୌଣସି ବି ଜଳସେଚନ ପ୍ରକଳ୍ପ ଲୋକଙ୍କ ପାଇଁ ପିଇବା ପାଣି ତଥା ଚାଷ ପାଇଁ ଜଳସେଚନ କରିଥାଏ । ଆହୁରି ମଧ୍ୟ ପରବର୍ତ୍ତୀ ସମୟରେ ସେ ଅଂଚଳର ସୌନ୍ଦର୍ଯ୍ୟିକରଣ ପାଇଁ ପର୍ଯ୍ୟଟକଙ୍କୁ ଅନେକ ମାତ୍ରାରେ ଆକୃଷ୍ଟ କରିଥାଏ । ଆମ ଅଂଚଳର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅଂଚଳରେ ଏପରି ସୌନ୍ଦର୍ଯ୍ୟିକରଣ ପାଇଁ ପଦକ୍ଷେପ ନେବା ଯେପରି କି ଏହା ପରବର୍ତ୍ତୀ ସମୟରେ ଏକ ଉନ୍ନତ ପର୍ଯ୍ୟଟନ ସ୍ଥଳି ମାନ୍ୟତା ପାଇବ ତା ସହ ପର୍ଯ୍ୟଟକଙ୍କ ଆଗାମନ ଫଳରେ ଏ ଅଂଚଳର ଆର୍ଥିକ ବିକାଶ କରିବ ବୋଲି ଲୋୟର ସୁକତେଲ ଡ୍ୟାମ ଅଂଚଳରେ ଅନୁଷ୍ଠିତ ବନଦୁର୍ଗା ମହୋତ୍ସବର ଅଧ୍ୟକ୍ଷ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମହୋତ୍ସବକୁ ଉଦ୍ଘାଟନ କରି ନିଜ ଅଭିଭାଷଣରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ବିଗତ ସରକାର ସମୟରେ ଏହାର ସୌନ୍ଦର୍ଯ୍ୟିକରଣ ପାଇଁ ଏହାର ଅନୁଦାନ ଆସିଥିଲା । କାହିଁକି କେଜାଣି ସେ ସମୟରେ ଅନୁଦାନକୁ ଫେରାଇ ନିଆଗଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏଠି ଏକ ମିନି ଷ୍ଟାଡିୟମ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳିଆ ଏକ ସୁନ୍ଦର ଉଦ୍ୟାନ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ଧନ୍ୟବାଦ ଦେବି ମୁଖ୍ୟମନ୍ତ୍ରୀଙ୍କୁ ସେ ମୋର ଅନୁରୋଧ ରକ୍ଷା କରି ଉଭୟ ପ୍ରକଳ୍ପ ପାଇଁ ରାଜି ହେବା ସହ ଏହାର ସର୍ବେକ୍ଷଣ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପଠେଇ ସାରିଲେଣି । ବହୁତ ଶୀଘ୍ର କାମ ଆରମ୍ଭ ହେବ ବୋଲି ଆଶା କରାଯାଏ । ଗତ ସରକାରକୁ କଟାକ୍ଷ କରି ଶ୍ରୀ ମିଶ୍ର କହିଥିଲେ ଅସମ୍ପୂର୍ଣ୍ଣ ସୁକତେଲ ପ୍ରକଳ୍ପକୁ ଉଦ୍ଘାଟନ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୁଡି ଅଂଚଳର ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ପ୍ରକଳ୍ପରୁ ଚାଷୀ ପାଣି ପାଇପାରିନାହାନ୍ତି । ଏ ବର୍ଷ ମଧ୍ୟ ଏହା ଯେ, ସମ୍ପୂର୍ଣ୍ଣ ହେବ ମୁଁ ସନ୍ଦେହରେ ଅଛି । ଏପରି କି ଅନେକ ବିସ୍ତାପିତ ତାଙ୍କର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ପାଇ ପାରିନାହାନ୍ତି । ବାରମ୍ବାର ପ୍ରଶାସନକୁ ଏ ବାବଦରେ ଅବଗତ ତଥା ଅନୁରୋଧ କରାଯାଇଛି । ଯଦି ବସ୍ଥାପିତଙ୍କ ଏ ନ୍ୟାର୍ଯ୍ୟ ଦାବିକୁ ସମାଧାନ କରାନଯାଏ ତେବେ ବୁଡି ଅଂଚଳବାସୀ ଯିଏ ବି ଯେଉଁଠୁ ଥାଏ ପୁଣି ଏକତ୍ରିତ ହେବେ ଏବଂ ତୀବ୍ର ଆନ୍ଦୋଳନ କରିବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ମହୋତ୍ସବ ଏକ ମାଧ୍ୟମ ଯାହା ଦ୍ୱାରା ବୁଡି ଅଂଚଳବାସୀଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବ ଏବଂ ଏହା ହେଲେ ଏହି ଅଂଚଳ ତଥା ଅଂଚଳବାସୀଙ୍କ ବିକାଶ କରିବା ସହଜ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟଯନ୍ତ୍ରୀ ବେଲାର ସିଂ ଭୋଇ, ତ୍ରିଲୋଚନ ମହାପାତ୍ର, ସାନ୍ତନୁ ସିଂ ଯୋଗ ଦେଇଥିବା ବେଳେ ସରପଂଚ ସଂଜୟ ଗଡତ୍ୟା ସଭାପତିତ୍ୱ କରିଥିଲେ ଏବଂ ବିକାଶ ରଂଜନ ରଥ ସଭା ସଂଯୋଜନା କରିଥିଲେ । ଏହି ଅବସରରେ ସାନନ୍ଦ ସିକା ଓ ସାଥୀଙ୍କର ଲୋକନୃତ୍ୟ ତହକ ପରିବାର ଦ୍ୱାରା କୋଶଲି କବିତା ଆସର ଏବଂ ଅନିଲ ନାଏକଙ୍କ ସାଥୀଙ୍କ ଦ୍ୱାରା କଂସ ଦରବାରର ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ କୈଳାସ ଚନ୍ଦ୍ର ସିଂଦେଓ, ଅଜୟ ଗଡତ୍ୟା, ବ୍ୟାସଦେବ ବନଛୋର, ପ୍ରମୋଦ ପଟେଲ, ଭରତ ସାହୁ, ନରେନ୍ଦ୍ର ବିଶି, ଜୟକୃଷ୍ଣ ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।