
ଖଲ୍ଲିକୋଟ : ସ୍ଥାନୀୟ ଆର୍ଟ କଲେଜ ଖେଳ ପଡ଼ିଆରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ମା’ ବାହୁତୀ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲରେ ବ୍ରହ୍ମପୁର ପାୱାର ସିକ୍ସ ଓ ମୋହନାର ସେଣ୍ଟ ପିଟର ଟିମ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ଫାଇନାଲରେ ଦୁଇ ଦଳ ମଧ୍ୟରେ କଡା ମୁକାବିଲା ହୋଇଥିବା ବେଳେ ମୋହନାର ସେଣ୍ଟ ପିଟର ଟିମ ବ୍ରହ୍ମପୁର ପାୱାର ସିକ୍ସକୁ ୩-୨ ସେଟ୍ରେ ପରାସ୍ତ କରି ଚାମ୍ପିୟାନ ହୋଇଥିଲା ।
ବିଜୟୀ ମୋହନା ଦଳକୁ ବିଜୟୀ କପ୍ ସହ ୩୦ ହଜାର ଟଙ୍କା ଓ ପରାଜିତ ହୋଇଥିବା ବ୍ରହ୍ମପୁର ପାୱାର ସିକ୍ସ ଦଳକୁ ରନର୍ସ ଅପ୍ କପ୍ ସହ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।ଏହାସହ ବ୍ରହ୍ମପୁର ପାୱାର ସିକ୍ସର ଖେଳାଳି ବିଟୁ ଓରଫ୍ ଢାମଣାଙ୍କୁ ବେଷ୍ଟ ହିଟର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମୋହନା ଟିମ୍ର ଖେଳାଳି ବବିନ ନାୟକଙ୍କୁ ବେଷ୍ଟ ପ୍ଲେୟାର ଓ ତବୁନଙ୍କୁ ବେଷ୍ଟ ନେଟ ପ୍ଲେୟାର ପୁରସ୍କାର ପ୍ରଦାନ କରାଯାଇଛି । ବାବନପୁରର ବୁଲେଟ ସିକ୍ସକୁ ଶୃଙ୍ଖଳିତ ଟିମ୍ ଭାବେ ପୁରସ୍କୃତ କରାଯାଇଛି ।
ଏହି ଉଦ୍ଯାପନୀ ଉତ୍ସବରେ ଖଲ୍ଲିକୋଟ ଏନ୍ଏସି ଅଧ୍ୟକ୍ଷ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଲ୍ଲିକୋଟ ଟିମ୍ର ପୂର୍ବତନ ବରିଷ୍ଠ ଖେଳାଳି ବିପିନ ବିହାରୀ ସାମନ୍ତ, କାଉନସିଲର ପ୍ରଦୀପ କୁମାର ପଟ୍ଟନାୟକ, ନାରାୟଣ ପାଢ଼ୀ, ସୁଜାତା କୁମାରୀ ସାମନ୍ତ, ନିରଞ୍ଜନ ନାୟକ, ଗଞ୍ଜାମ ଜିଲ୍ଲା ଭଲିବଲ ସଂଘର ଉପଦେଷ୍ଟା ଦନାର୍ଦନ ଆଚାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କ ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରିଥିଲେ । ସ୍ଥାନୀୟ ଯୁବକ ସୁଜିତ କୁମାର ସାମନ୍ତ, ପ୍ରିୟ ରଞ୍ଜନ ସାମନ୍ତ, ସଂଜୀବ କୁମାର ରାଉତ, ସୌମ୍ୟ ରଞ୍ଜନ ଗୌଡ଼, ଶିବ ସାମନ୍ତ ପ୍ରମୁଖଙ୍କ ଉଦ୍ୟମ ରେ ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ଟିମ୍ ସହ ଦାରିଙ୍ଗବାଡିର ଭଲିବଲ ଟିମ, ବାବନପୁରର ବୁଲେଟ ସିକ୍ସ, ଭଞ୍ଜନଗରର ଆର୍ଯ୍ୟନ ସିକ୍ସ, ସୋନପୁର ଟିମ, ଅଡବା ଟିମ, ବ୍ରହ୍ମପୁରର କାରଗିଲ ଟିମ ପ୍ରଭୃତି ମୋଟ ୮ ଗୋଟି ଟିମ ଭାଗ ନେଇଥିଲେ ।