‘ଅରୁଣା’ ତରଫରୁ ଶିଶୁଙ୍କ ଅଣଆନୁଷ୍ଠାନିକ ଯତ୍ନ ଉପରେ ତାଲିମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକ ସଭାଗୃହ ବଲାଙ୍ଗିରଠାରେ ଅରୁଣା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ବଲାଙ୍ଗିରର ମିଳିତ ଉଦ୍ୟମରେ ଅଣଆନୁଷ୍ଠାନିକ ଯତ୍ନ, ପୃଷ୍ଠପୋଷକତା, ପାଳିତ ସନ୍ତାନ ଯତ୍ନ, ୧୮ ବର୍ଷ ପରର ଯତ୍ନ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇବା ସହିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ତାଲିମରେ ବଲାଙ୍ଗିର ବ୍ଲକର ବିଡିଓ ଇପ୍‌ସିତା ପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ମିଶନ ବାତ୍ସଲ୍ୟ ଯୋଜନାର କାର୍ଯ୍ୟକାରିତା ଏବଂ ଶିଶୁଙ୍କ ନିମନ୍ତେ ଅଣଆନୁଷ୍ଠାନିକ ଯତ୍ନ ଉପରେ ଗ୍ରାମାଞ୍ଚଳରେ ପ୍ରଚାର ପ୍ରସାର କରିବାକୁ ଜଣାଇଥିଲେ । ତାଲିମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଉପସ୍ଥିତ ରହି ତୃଣମୂଳ ସ୍ତରରେ ଗ୍ରାମ ଓ ଗ୍ରାମ ପଂଚାୟତରେ ଶିଶୁମାନଙ୍କୁ ଚିହ୍ନଟ କରି ସୁରକ୍ଷା ଓ ଯତ୍ନ ପ୍ରଦାନ କରିବାକୁ ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ଅଂଶୀଦାର ସମୂହଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଉକ୍ତ ତାଲିମ ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଅଂଶୀଦାରମାନଙ୍କୁ ମିଶନ ବାତ୍ସଲ୍ୟ ଗାଇଡଲାଇନରେ ଜିଲ୍ଲାସ୍ତରରେ ପୃଠପୋଷକତା, ପାଳିତ ସନ୍ତାନ ଯତ୍ନ ଓ ୧୮ ବର୍ଷ ପରର ଯତ୍ନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟତମ ତାଲିମଦାତା ଭାବେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ସୁଖିଶ୍ୟାମ ତ୍ରିପାଠୀ କହିଲେ ମାନସିକ ସ୍ୱାସ୍ଥ୍ୟ ଉତ୍ତମ ବ୍ୟକ୍ତିତ୍ୱ ଅପରିହାର୍ଯ୍ୟ ବୋଲି ଜଣାଇବା ସହ ସାକାରାତ୍ମକ ମାନସିକ ରକ୍ଷା ପାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଲ୍‌ପିଓ ଦିଗାମ୍ବର କର ପୋସ୍କୋ ଆଇନ, ଅଣଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ବଲାଙ୍ଗିର ଜିଲ୍ଲା ପାଇଁ ସାମାଜିକ ସଂଗଠନର କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ ଜଣାଇବା ସହ ୩ ମାସ ଏକ ଯୋଜନା କରିବାକୁ ଜଣାଇଥିଲେ । ତାଲିମରେ ଶିଶୁ ସୁରକ୍ଷା କମିଟିର ସଦସ୍ୟା ଡା. ସନ୍ଧ୍ୟାରାଣୀ ପଣ୍ଡା, ଏସ୍‌.ଲତାଶ୍ରୀ, ଲିନା ବାବୁ, ସୀତାରାମ ହୋତା, କିଶୋର ନ୍ୟାୟ ପରିଷଦର ସଦସ୍ୟ, ୱାଇସିଡିଏ, ରେଆର, ପଲ୍ଲୀ ଆଲୋକ ପାଠାଗାର ତରଫରୁ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର ଅରୁଣ ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.