ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ “ସୁରେନ୍ଦ୍ର ସାଏ ଓ ତାଙ୍କ ସାଥୀ” ଉପରେ ଏକ ଆଲୋଚନା ଚକ୍ର ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପରିଷଦର ସଭାପତି ସ୍ଵରୂପ ପାଣିଗ୍ରାହୀ ସ୍ଵାଗତ ଭାଷଣ ଦେଇଥିଲେ ଓ ସୁରେନ୍ଦ୍ରସାଏଙ୍କୁ ଏକ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଭାବରେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଡକ୍ଟର ପ୍ରଭାତ ମଲ୍ଲିକ ସୁରେନ୍ଦ୍ର ସାଏଙ୍କ ଜୀବନୀ ଓ ତାଙ୍କର ସାଥୀମାନଙ୍କ ବୀରତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସୁରେନ୍ଦ୍ର ସାଏ ଓ ତାଙ୍କ ପରିବାର ଲୋକେ ଇଂରେଜ ସରକାରଙ୍କ ଦମନଲୀଳା ବିରୁଦ୍ଧରେ କିଭଳି ଏକ ବିଶାଳ ଓ ଶକ୍ତିଶାଳୀ ସୈନିକଦଳ ଗଠନ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଇତିହାସରେ ଅନାଲୋଚିତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ କିପରି ତାଙ୍କୁ ସାହାଯ୍ୟ କରିଥଲେ ତାହା ଡଃ. ମଲ୍ଲିକ ସୁନ୍ଦର ଭାବରେ ଆଲୋଚନା କରିଥିଲେ । ଦୀର୍ଘ ୩୭ ବର୍ଷ କାଳ କାରାବରଣ କରି ଶେଷ ନିଃଶ୍ୱାସ ତ୍ୟାଗ କରି ସୁରେନ୍ଦ୍ର ସାଏ ଯେଉଁ ବୀରତ୍ୱ ଇଂରେଜ ସରକାରଙ୍କ ଶାସନ ବିରୁଦ୍ଧରେ ପ୍ରତିପାଦନ କରିଥିଲେ ତାହା ନିଶ୍ଚିତ ଭାବରେ ବିରଳ ବୋଲି ଡଃ. ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଅତିଥିମାନେ ସଭା କାର୍ଯ୍ୟର ପ୍ରାରମ୍ଭରେ ସୁରେନ୍ଦ୍ର ସାଏଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ଓ ପରିଷଦ ପକ୍ଷରୁ ଶ୍ରୀକାନ୍ତ ଷଡ଼ଙ୍ଗୀ ଏକ ସୁନ୍ଦର ପ୍ରାରମ୍ଭିକ ସଂଗୀତ ଭାବେ ସ୍ୱର୍ଗତ ମୁରାରି ପ୍ରାସାଦ ମିଶ୍ରଙ୍କ ରଚିତ ସୁରେନ୍ଦ୍ର ସାଏଙ୍କୁ ନେ଼ଇ ପର୍ଯ୍ୟବସିତ ସଂଗୀତ ଗାନ କରିଥିଲେ । ପରିଷଦର ସାଂସ୍କୃତିକ ସଂପାଦକ ସୂର୍ଯ୍ୟ କୁମାର ପାଢ଼ୀ ସୁରେନ୍ଦ୍ର ସାଏଙ୍କ ଉପରେ ଏକ ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ପରିଷଦର କାର୍ଯ୍ୟକାରୀ ସଦସ୍ୟ ଦେବେଶ ପୁରୋହିତଙ୍କ ଦ୍ଵାରା ପେନ୍ସିଲରେ ଅଙ୍କା ଯାଇଥିବା ସୁରେନ୍ଦ୍ର ସାଏଙ୍କ ବୃତ୍ତଚିତ୍ର ମୁଖ୍ୟ ବକ୍ତାଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା । ମଧୁସୂଦନ ପାଠାଗାରର ଉପ ସଭାପତି ଡକ୍ଟର ପ୍ରଭାକର ନାୟକ ତାଙ୍କର ବକ୍ତବ୍ୟରେ ସୁରେନ୍ଦ୍ର ସାଏଙ୍କୁ ଓଡ଼ିଶାର ମହାନ୍ ସ୍ଵାଧୀନତା ସଂଗ୍ରାମୀ ଭାବରେ ବର୍ଣ୍ଣନା କରିଥଲେ । ପରିଷଦର ଉପସଭାପତି ଡକ୍ଟର ଅଜୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ପରିଷଦର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ପରିଷଦ ପକ୍ଷରୁ ଶ୍ରୀ ଷଡଙ୍ଗୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରାଜୀବ ପାଣି, ଲକ୍ଷ୍ମଣ ଦାସ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ରଶ୍ମି ରଞ୍ଜନ ବୋଇତାଇ ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦର କୋଷାଧକ୍ଷ ଗୌରୀ ଶଙ୍କର ପ୍ରଧାନ, ବରିଷ୍ଠ ସଦସ୍ୟ ଡାକ୍ତର ଗଜେନ୍ଦ୍ର ମେହେର, ପୀତବାସ ପ୍ରଧାନ, ହୃଷିକେଶ ପଣ୍ଡା, ପ୍ରବୀର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ଏରିଅର ଜାଲ, ଅଶୋକ ଭଇଁସା, ନିବାସ ଦାସ, ମଦନ ବେହେରା ଓ ମଧୁସୂଦନ ପାଠାଗାରର କାର୍ଯ୍ୟକାରୀ ସଦସ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା, ରାଖାଲ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ହୋଇଥିଲା । ଏହି ସଭାରେ ସହରର ବହୁ ସଂସ୍କୃତି ପ୍ରେମୀ ଯୋଗଦେଇଥିଲେ ।
Prev Post