sss
lll

ଲୋଇସିଂହା ବ୍ଳକ କଳାକାର ସଂଘର ସମାବେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କଳାକାର ସଂଘର ସମାବେଶ ସ୍ଥାନୀୟ କୁଶମେଲ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶତାଧିକ କଳାକାର ଯୋଗଦେଇଥିଲେ। ମା’ କୁଶଙ୍ଗେଇ ଦେଵୀ କଳା ପରିଷଦର ଆବାହକ କରୁଣାକର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଳକ କଳାକାର ସଂଘ ସଭାପତି ସରୋଜ ବିଶ୍ୱାଳ, ସଂପାଦକ ବ୍ରଜ ମୋହନ ବିଶୋଇ ଓ ବଲାଙ୍ଗିର ଜିଲ୍ଲା ସମନ୍ଵୟ ସମିତିର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଯୋଗଦେଇ କଳାକାରମାନଙ୍କ ବିଭିନ୍ନ ସମସ୍ୟା ତଥା ତାହାର ସମାଧାନ ଦିଗରେ ଆଲୋଚନା କରିଥିଲେ । ଠିକ୍ ସମୟରେ କଳାକାର ଭତ୍ତା ମିଳୁ ନଥିବାରୁ ବରିଷ୍ଠ କଳାକାରମାନେ କ୍ଷୋଭ ପ୍ରକାଶ କରିଥିଲେ । ଗତ ୩ମାସ ହେବ କଳାକାରମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ପୂର୍ବ ସରକାର ସମୟରେ ଭତ୍ତା ନିୟମିତ ମିଳୁଥିବା ବେଳେ ବର୍ତ୍ତମାନ ଭତ୍ତା ପ୍ରଦାନରେ ଅହେତୁକ ବିଲମ୍ବ କରାଯିବା କଳାକାରମାନଙ୍କ ପ୍ରତି ସରକାରଙ୍କ ଆନ୍ତରିକତାର ଅଭାବ ବୋଲି ବରିଷ୍ଠ କଳାକାର ମତ ଦେଇଥିଲେ । ସେହିପରି ଚଳିତ ବର୍ଷ ନୂତନ କଳାକାର ଭତ୍ତା ପାଇଁ ଆବେଦନ କରିବାର ବର୍ଷେ ପରେ ମଧ୍ୟ କୌଣସି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ନିଆଯାଇ ନଥିବାରୁ କଳାକାରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅପର ପକ୍ଷେ ଲୋକ ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ତା ପୂର୍ବରୁ କଳାକାର ଭତ୍ତା ଦେବାକୁ ଦାବୀ ହୋଇଥିଲା । ଏଥି ସହିତ ଇନ୍ସ୍ୟୁରେନ୍ସ ଓ ଭତ୍ତା ପାଉଥିବା କଳାକାରଙ୍କ ମୃତ୍ୟୁ ପରେ କଳାକାର ଦମ୍ପତିଙ୍କ ମଧ୍ୟରୁ ଜଣକୁ ଉକ୍ତ ଭତ୍ତା ପ୍ରଦାନ କରାଯିବା ସକାଶେ ସରକାରଙ୍କ ଠାରେ ଦାବି ରଖିବାକୁ ନିଷ୍ପତ୍ତି ହୋଇଥିଲା । କିଛିଦିନ ପୂର୍ବରୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକର ବିଭିନ୍ନ ଗ୍ରାମରେ ହୋଇଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବ୍ଳକରୁ କୌଣସି ସାଂସ୍କୃତିକ ଦଳକୁ ସାମିଲ କରାଯାଇ ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇବା ସହିତ ଏ ନେଇ ଜିଲ୍ଲା ସଂସ୍କୃତି ଅଫିସରଙ୍କ ଠାରେ ଫେରାଦ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ହେବାକୁ ଥିବା ବ୍ଳକସ୍ତରୀୟ ଲୋକ ମହୋତ୍ସବରେ କିଭଳି ଅଧିକରୁ ଅଧିକ କଳାକାର ଯୋଗଦେଇ ପାରିବେ ସେ ଉପରେ ସମସ୍ତେ ଗୁରୁତ୍ଵ ଦେବାକୁ ସଂଘ ସଭାପତି ସରୋଜ ବିଶ୍ବାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପରିଶେଷରେ ସଂପାଦକ ବ୍ରଜମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.