ଜାତୀୟ ଶିକ୍ଷାନୀତିର ତୃତୀୟ ବାର୍ଷିକୀ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରରେ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ୨୯ ଜୁଲାଇରେ ଜାତୀୟ ଶିକ୍ଷାନୀତି ୨୦୨୦ର ତୃତୀୟ ବାର୍ଷିକୀ ପାଳନ କରାଯିବ । ଏହି ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦ୍‌ଘାଟନ କରିବେ । ଏହାର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରରେ ଏହାର ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଏହି ମହତ୍ତ୍ୱାକାଂକ୍ଷି ଶିକ୍ଷା ଯୋଜନାର ପୃଷ୍ଠଭୂମି ଓ ଲକ୍ଷ ଉପରେ ସୂଚନା ପ୍ରଦାନ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷ ଜୱାହର ନବୋଦୟ ବିଦ୍ୟାଳୟ ତରଭା ଜୟରାମ ନାଏକ, ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ ଜାମକାନି ପଞ୍ଚାନନ ପ୍ରଧାନ, ଶିକ୍ଷକ ଜୱାହର ନବୋଦୟ ବିଦ୍ୟାଳୟ ତରଭା ସାଶ୍ୱତ ସାହୁ, ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ ପିପିଲିପାଲି ବିଷ୍ନୁ ପ୍ରସାଦ ଜେନା, ଶିକ୍ଷୟତ୍ରୀ ଆଦର୍ଶ ବିଦ୍ୟାଳୟ ରଥପୁର ସ୍ମିତା ଭୋଇ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଏହି ବ୍ୟାପକ ଭିତ୍ତିକ ନମନୀୟ ବହୁ ବିଭାଗୀୟ ଶିକ୍ଷା ମାଧ୍ୟମରେ ଆମ ଦେଶକୁ ଏକ ଜୀବନ୍ତ ଜ୍ଞାନ ସମାଜ ଓ ବିଶ୍ଵ ଜ୍ଞାନ ମହାଶକ୍ତିରେ ପରିଣତ କରିବା ଏହାର ଲକ୍ଷ୍ୟ । ଏହାଦ୍ୱାରା ଭାରତୀୟ ଛାତ୍ରଛାତ୍ରୀମାନେ କିଭଳି ବିଶେଷ ଭାବରେ ଉପକୃତ ହୋଇପାରିବେ ଏହା ଉପରେ ଆଲୋଚନା ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ଗଣ୍ଡାରାମ ମେହେର ସ୍ମାର୍ଟ ବୋର୍ଡ ମାଧ୍ୟମରେ ଏହାକୁ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବିଭାଗୀୟ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବେଣୁଧର ପଧାନ, ସନ୍ତୋଷ ମିଶ୍ର, ସଦାଶିବ ପଧାନ, ନିରଞ୍ଜନ ଭୋଇ, ଧନଞ୍ଜୟ ଆଡଜୁଆଡି, ମାନଭଞ୍ଜନ ପୁଝାରୀ ପ୍ରମୁଖ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।

Leave A Reply

Your email address will not be published.