ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରର ଜଣାଶୁଣା ସାହିତ୍ୟ ସଂସଦ ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା ।ଏହି ଆସରରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଉମାକାନ୍ତ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । “ଓଡ଼ିଆ ସାହିତ୍ୟ ସଂସ୍କୃତି ଓ ପରମ୍ପରା” ଶୀର୍ଷରେ ଆଲୋଚନା କରିବାକୁ ଯାଇ କହିଲେ ଆମେ ନିଜେ ନିଜକୁ ଯଦି ଆତ୍ମଶୁଦ୍ଧି ନ କରିବା, ନିଜ ଉପରେ ଯଦି ଆମେ ବିଶ୍ବାସ ନ ରଖିବା ତେବେ ଆମ ସାହିତ୍ୟ ସଂସ୍କୃତି ଓ ପରମ୍ପରାର ବିକାଶରେ ନିଶ୍ଚିତ ସଙ୍କଟ ଦେଖାଯିବ । ରାମାୟଣ, ସାରଳା ମହାଭାରତଠାରୁ ଆରମ୍ଭ କରି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମ, ଟିଏନ୍ ଶେଷାନଙ୍କ ଜୀବନରେ ଘଟିଥିବା ଘଟଣାର ବହୁଳ ସ୍ମୃତିଗୁଡ଼ିକ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଥିଲେ ପ୍ରଥମେ ମାଆର ଭାଷାରୁ ହିଁ ସାହିତ୍ୟ ସୃଷ୍ଟି, ମାଆର ଧର୍ମୀୟ ଭାବନା ସହିତ ନିଜର ସଂସାର ତଥା ସମାଜ ପ୍ରତି ପ୍ରତିବଦ୍ଧତା ହିଁ ସଂସ୍କୃତିକୁ ବଞ୍ଚାଇ ରକ୍ଷା କରିବା ସଙ୍ଗେ ସଙ୍ଗେ ଆମ ପରମ୍ପରାକୁ ନିର୍ଦ୍ଧିଷ୍ଟ ଶଗଡ଼ ଗୋଳାରେ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ । ସମାଜ ସାହିତ୍ୟ ଓ ସଂସ୍କୃତି ପରସ୍ପର ପରିପୁରକ । ଏମାନଙ୍କ ଉନ୍ନତିରେ ଆମ ପରମ୍ପରାର ଉନ୍ନତି ତଥା ଗତିଶୀଳ ହୋଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଓ ଗଳ୍ପ ପଠନ ହୋଇଥିଲା । ସହରର ଜଣାଶୁଣା ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ଗଳ୍ପ ପାଠ କରିଥିବା ବେଳେ କବି ପ୍ରତାପ କୁମାର ପଣ୍ଡା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସୁଶ୍ରୀ ସଂଗୀତା ଦାସ, ଉର୍ବଶୀ ଦାଶ ପତି, ସୁଚିସ୍ମିତା ପଣ୍ଡା, ବନିତା ମହାନ୍ତି, ସ୍ନେହଲତା ପଟ୍ଟନାୟକ, ସ୍ମିତା ମିଶ୍ର କବିତା ପାଠ କରିଥିଲେ । କବିତା ଓ ଗଳ୍ପକୁ ସମୀକ୍ଷା କରିଥିଲେ କବି ନୃସିଂହଚରଣ ବିଶ୍ୱାଳ, ସଂସଦର ସହ ସାହିତ୍ୟ ସମ୍ପାଦକ ଇଂ.ଅଶୋକ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥଲେ । ବିଭୂତି ଦାଶ, ଲକ୍ଷ୍ମଣ ଦାସ, ହରିହର ନାୟକ, ଇଂ.ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ । ଶେଷରେ ଅଜୟ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.