ଡେଲାଙ୍ଗ : ଆଜି ପୂର୍ବାହ୍ନ ୧୧ଟା ସମୟରେ ଜଣେ ଡିଏମ୍କେ(ତାମିଲନାଡ଼ୁ) ସାଂସଦ ଡ.ଏସ୍.ସେନ୍ଥିଲ କୁମାର(ଏମ୍ଡିଆର୍ଡି) ତାଙ୍କ ବ୍ୟକ୍ତିଗତ ସଚିବ ଆର୍.ଜେ.ବାବୁଙ୍କ ସହିତ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ର ଚାଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ାପୀଢ଼ ଗ୍ରାମରେ ପହଂଚି ମନରେଗା କାର୍ଯ୍ୟରେ ଅଣକୁଶଳୀ ଶ୍ରମିକ ଭାବେ ନିଯୁକ୍ତ ଇଂଜିନିୟରିଂ ଛାତ୍ରୀ ଲୋଜି ବେହେରାଙ୍କ ଘରେ ପହଂଚିଥିଲେ । ସ୍ଥାନୀୟ ପରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ାଙ୍କୁ ସେ ଡକାଇଥିବା ବେଳେ ସରପଞ୍ଚ ସୁଦୂର ଦିଲ୍ଲୀରୁ ଆସିଥିବା ଡିଏମ୍କେ. ସାଂସଦଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ସାଂସଦ ଡ. ସେନ୍ଥିଲ କୁମାର ଉପସ୍ଥିତ ଗ୍ରାମାବାସୀ ତଥା ଲୋଜିଙ୍କ ପରିବାରକୁ କହିଥିଲେ ଯେ, ଜଣେ ଇଂଜିନିୟରିଂ ଛାତ୍ରୀ ମନରେଗା କାର୍ଯ୍ୟରେ ନିଯୁକ୍ତ ହୋଇ ଉଚ୍ଚଶିକ୍ଷା ପାଇଁ ସଂଘର୍ଷ କରୁଥିବାର ଖବର ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ପାଇ ମୁଁ ସହାୟତାର ହାତ ବଢ଼ାଇବାକୁ ଚାଲି ଆସିଛି । ଗ୍ରାମାଂଚଳରେ ଏହି ଭଳି ଗରିବ ଏବଂ ଦଳିତ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବାକୁ ଆମ୍ଭମାନଙ୍କ ଭଳି ରାଜନେତା ମାନଙ୍କର ରାଜନୈତିକ ଇଚ୍ଛାଶକ୍ତି ରହିବା ଆବଶ୍ୟକ ବୋଲି ସେ କହିଥିଲେ । ଲୋଜିଙ୍କୁ ନଗଦ କ୍ୟାସ ଏକ ଲକ୍ଷ ଟଙ୍କା ସହାୟତା କରିବା ସହ ଭବିଷ୍ୟତରେ ପାଠପଢ଼ା ପାଇଁ ସହଯୋଗ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ସେଠାରେ ସ୍ଥାନୀୟ ସରପଂଚଙ୍କ ପୁଅ ଆଶୁତୋଷ ପରିଡ଼ା ଚେନ୍ନାଇ ସ୍ଥିତ ରୟାଲ୍ ଏନ୍ଫିଲ୍ଡ଼ କଂପାନୀରେ କାର୍ଯ୍ୟ କରୁଥିବା ଶୁଣି ଆଶୁତୋଷ ସହିତ ତାମିଲ ଭାଷାରେ କଥାବାର୍ତ୍ତା ହୋଇ ଆଜିର ମୁହୂର୍ତ୍ତ ସରପଂଚଙ୍କ ସହିତ ସଂପର୍କ ସୃଷ୍ଟି କରିଛି ବୋଲି ସାଂସଦ ସମସ୍ତଙ୍କୁ ଧନ୍ୟବାଦ ଦେଇ ଫେରି ଯାଇଥିଲେ ।