ଦେଓଗାଁ-ବନ୍ଧପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଅବସ୍ଥା ବେହାଲ୍ : ମଝି ରାସ୍ତାରେ ଲୋକେ ଜଗାଇଲେ ଗଛ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ-ବନ୍ଧପଡା ପୂର୍ତ୍ତ ବିଭାଗର ରାସ୍ତା ଗତ ବର୍ଷ ଅଗଷ୍ଟ ବନ୍ୟାରେ ଧୋଇ ହୋଇ ଯାଇଥିଲା । ବେହାଲ ଅବସ୍ଥାରେ ପଡ଼ିଥିବା ଏହି ରାସ୍ତା ଉପରେ ନଜର ପଡୁନି ପୂର୍ତ୍ତ ବିଭାଗର । ଦେଓଗାଁ ଠାରୁ ବନ୍ଧପଡ଼ା ଯିବା ରାସ୍ତାରେ ଅର୍ଡା ଗାଁ ନିକଟସ୍ଥ ଜୋର୍ ଠାରୁ କୁଠୁର୍ଲା ପର୍ୟ୍ୟନ୍ତ ଥିବା ରାସ୍ତା ଅତି ଶୋଚନୀୟ ହୋଇପଡିଛି । କୁଠୁର୍ଲା ଗାଁରୁ ଭୂତିଆରବାହାଲ ଯିବା ରାସ୍ତାରେ ବହୁ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହେବା ସହ କିଛି ଦିନ ତଳେ ହୋଇଥିବା ଲଗାତାର ବର୍ଷାରେ ସବୁଆଡେ କାଦୁଅ ହୋଇଯାଇଛି । କୁଠୁର୍ଲା ନିକଟରେ ଗୋଟେ ସ୍ଥାନରେ ରାସ୍ତା ମଝିରେ କାଦୁଅ ହୋଇଯାଇ ଥିବାରୁ ସେଠାରେ କେହି ଗଛ ଜଗାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତାକୁ ଖୁବ୍ ଶୀଘ୍ର ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।
୨୦୧୯ ଅଗଷ୍ଟ ୧୨ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ବର୍ଷେ ପୁରିଛି, କିନ୍ତୁ ସୁଧୁରୁନି ରାସ୍ତାର ଅବସ୍ଥା । ଦେଓଗାଁ ବ୍ଲକରେ ହୋଇଥିବା କ୍ଷୟକ୍ଷତିକୁ ଆକଳନ କରି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ହେଲେ ତାହା ବି ରହିଗଲା ଘୋଷଣାରେ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଗାଇବାହାଲ- କୁଠୁର୍ଲା ପୂର୍ତ୍ତ ରାସ୍ତା ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଏବଂ କୁଠୁର୍ଲା ନିକଟରେ ଏକ ବଡ ଘାଇ ସୃଷ୍ଟି ହୋଇଥିଲା । ଏହି ଜାଗାକୁ କେବଳ ପଥର ଗୁଣ୍ଡ ଦେଇ ପୋତି ଦେଇଛନ୍ତି ବିଭାଗୀୟ ଯନ୍ତ୍ରୀମାନେ । ଅର୍ଡ଼ା ଗାଁ ନିକଟରେ ଥିବା ଏକ ବ୍ରିଜର ଗୋଟିଏ ପଟେ ଘାଇ ସୃଷ୍ଟି ହୋଇଥିଲା, ଏହାକୁ ଦେଖିବାକୁ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ପରିଦର୍ଶନରେ ଆସିଥିଲେ । ସେହି ସ୍ଥାନରେ ହି ରାସ୍ତା ଶୀଘ୍ର ମରାମତି ହେବ ଓ ଚାଷୀମାନେ କ୍ଷତି ପୂରଣ ପାଇବେ ବୋଲି କଥା ଦେଇଥିଲେ । କିନ୍ତୁ ଇତି ମଧ୍ୟରେ ବର୍ଷେ ବିତି ଗଲା ହେଲେ ହେଲାନି ରାସ୍ତା ମରାମତି କି ମିଳିନି କ୍ଷତି ପୂରଣ ବୋଲି ଲୋକଙ୍କ ମହଲରେ ଆଲୋଚନା ହେଉଛି।

Leave A Reply

Your email address will not be published.