ରାଜସ୍ୱ ଜିଲ୍ଲା ଦାବୀରେ କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଘୋଷଣା ଦାବୀରେ ଜିଲ୍ଲା ସଂଘର୍ଷ ସମିତିର ଡାକରାରେ ମଙ୍ଗଲବାର ଦିନ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ସହରର ସମସ୍ତ ଦୋକାନ ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ସହ ଯାନବାହାନ ଯାତାୟତ ମଧ୍ୟ ବନ୍ଦ ରହିଥିଲା । ଜରୁରୀ କାଳୀନ ସେବାକୁ କୌଣସି ପ୍ରକାର ଅସୁବିଧା କରାଯାଇ ନ ଥିଲା । ସକାଳ ୬ଟାରେ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ବଲାଙ୍ଗିର – କଣ୍ଟାବାଞ୍ଜି – ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ନଂ.୪୨କୁ ଅବରୋଧ କରି ବନ୍ଦପାଳନ ଆରମ୍ଭ କରାଯାଇଥିଲା । ଦୀର୍ଘ ଦିନରୁ କଣ୍ଟାବାଞ୍ଜିକୁ ଏକ ରାଜସ୍ୱ ଜିଲ୍ଲା ଦାବୀ କରିଛି ଜିଲ୍ଲା ସଂଘର୍ଷ ସମିତି । ଏହି ଦାବୀକୁ ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ୍‌ ସହ ପଡୋଶି ବେଲପଡା ଓ ଖପ୍ରାଖୋଲ ଅଞ୍ଚଳର କେତେକ ପଞ୍ଚାୟତର ଜନସାଧାରଣ ସମର୍ଥନ ଜଣାଇ ଦାବୀରେ ସାମିଲ ହୋଇଛନ୍ତି । କଣ୍ଟାବାଞ୍ଜି ଜିଲ୍ଲା ଦାବୀକୁ ସରକାର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଘୋଷଣା ନ କଲେ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଛି । ଜିଲ୍ଲା ଦାବୀକୁ ନେଇ ବର୍ତ୍ତମାନର ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ବିଧାନସଭାର ପ୍ରଶ୍ନକାଳରେ ଦାବୀ ଉପସ୍ଥାପନ କରିବା ସହିତ ବିଭିନ୍ନ ସମୟରେ ଏବଂ ପୂଜା ପାର୍ବଣ ବେଳେ ମଧ୍ୟ ଫ୍ଲେକ୍ସ ମାଧ୍ୟମରେ ସମର୍ଥନ ଜଣାଇ ଆସିଛନ୍ତି ଯାହା ଆଜି ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ଝିପି ଝିପି ବର୍ଷା ସତ୍ୱେ ଜିଲ୍ଲା ସଂଘର୍ଷ ସମିତିର କାର୍ଯ୍ୟକର୍ତା ସହ ବିଭିନ୍ନ ସଂଗଠନର କର୍ମକର୍ତାମାନେ ଜିଲ୍ଲା ଦାବୀରେ ସାମିଲ ହୋଇ ସମର୍ଥନ କରିଥିଲେ । ଏପରିକି ଏନ.ଏ.ସି. ନଗରପାଳ ବରିୟାମ ସିଂ ସାଲୁଜା ମଧ୍ୟ ସାମିଲ ହୋଇ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସହରର ବିଭିନ୍ନ ଅନୁଷ୍ଠାନ ଗୁଡିକ ଫ୍ଲେକ୍ସ ମାଧ୍ୟମରେ ଶୋଭାଯାତ୍ରାରେ ବାହାରି ବନ୍ଦ ସଫଳ କରିବାରେ ସହଯୋଗ କରିଥିଲେ । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ସଂପାଦକ ଦୁଃଖିଶ୍ୟାମ ଗୁରୁ, ବିଦେଶି ବେହେରା, ନରେନ୍ଦ୍ର ସୁନା, ପ୍ରଦିପ ବାଗ, ହେମାଲ ସଂଘର ସଂପାଦକ ବିସର୍ବ ବେହେରା ସହ ସମସ୍ତ ସଭ୍ୟ, ମାଲି ସମାଜ, ଅଗ୍ରୱାଲ ସଭା ଟ୍ରଷ୍ଟ, ମାରବାଡି ଯୁବାମଞ୍ଚ, ଯାଦବ ସମାଜ, ବ୍ରାହ୍ମଣ ସମାଜ, ଗଣ୍ଡା ସମାଜ, ଗୋଣ୍ଡ ସମାଜ, ଶୁଣ୍ଢି ସମାଜ ସହ ଅନେକ ସମାଜର ସମର୍ଥକ ବନ୍ଦକୁ ସଫଳ କରିଥିଲେ । ବନ୍ଦ ସମୟରେ କୌଣସି ଅପ୍ରିତିକର ଘଟଣା ଘଟି ନ ଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଏସ.ଡି.ପି.ଓ.ଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଥାନା ତରଫରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଛକ ସ୍ଥାନ ଗୁଡିକରେ ପୋଲିସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.