
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ଅତି ହର୍ଷୋଲ୍ଲାସର ସହିତ ରଜ ସଂକ୍ରାନ୍ତି ପାଳନ ହେଉଥିବା ସମୟରେ କନ୍ୟାଶ୍ରମଠାରେ ପହଞ୍ଚି ଥିଲା ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ । ଉତ୍ସବ ମୁଖରିତ ଇସ୍ପାତ ସହରର ଅଦୃଷ୍ଟରେ ରହି ଯାଇଥିବା କନ୍ୟାଶ୍ରମର ଅନ୍ତେବାସୀମାନଙ୍କ ସହିତ ଟିକିଏ ଖୁସି ସାଉଁଟି ବାର ପ୍ରଚେଷ୍ଟା ବେଶ୍ ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଇଛି । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକ ବୟାନବେ ଜଣ କୁନିକୁନି ପିଲାମାନଙ୍କୁ ରଜ ପର୍ବର ମାହାତ୍ମ୍ୟ ବିଷୟରେ ସୂଚନା ପ୍ରଦାନ କରି ସମାଜରେ ପରସ୍ପରକୁ ଭାତୃତ୍ୱ ବନ୍ଧନରେ ଆବଦ୍ଧ ହୋଇ ରହିବା ପାଇଁ ଆହ୍ଵାନ ଦେଇଥିଲେ । ନୈତିକ ଜୀବନ ଯାପନ ଆମର ଜୀବନକୁ ସରସ ସୁନ୍ଦର ଓ ସୁଖମୟ କରିଥାଏ ବୋଲି ପିଲାମାନଙ୍କୁ କହିଥିଲେ । ଅନ୍ତେବାସୀମାନଙ୍କୁ ଓଡ଼ିଶାର ପାରମ୍ପାରିକ ମିଠା, ପିଠା, ଏବଂ ଲିଚୁ ପାନୀୟ ଇତ୍ୟାଦିରେ ଆପ୍ୟାୟିତ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟମାନେ ପିଲାମାନଙ୍କ ସହ ମିଶି ନିଜର ତଥା ସମାଜର ମଙ୍ଗଳ କାମନା କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ପରିବେଶକୁ ଆଧ୍ୟାତ୍ମିକ ଚେତନାରେ ଉଦବୁଦ୍ଧ କରିଥିଲେ । ଅନ୍ୟତମ ଟ୍ରଷ୍ଟି ରାମକୃଷ୍ଣ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅନୁଷ୍ଠାନର ଟ୍ରଷ୍ଟି ସର୍ବଶ୍ରୀ ଡାକ୍ତର ଦେବାଶିଷ ପଟ୍ଟନାୟକ, ଅରବିନ୍ଦ ଦାସ, ପ୍ରିୟବ୍ରତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।