
“ଆମେ ଓଡିଆ” ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଏପ୍ରିଲ ୧୪ ତାରିଖ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଆମେ ଓଡିଆ ଅନୁଷ୍ଠାନ ତରଫରୁ ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲା ଠାରେ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ଏହି ବିଷୟ ଉପରେ ୧୧ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ମାନିତ ଅତିଥି ଡ଼. ସନାତନ ପ୍ରଧାନ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେବା ସହିତ ଆମ ପରମ୍ପରା ଓ ସଂସ୍କୃତିର ମହନୀୟତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡ. ସମର ମୁଦାଲି ଯୋଗଦାନ କରି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ ଯୁବପିଢି ଆଗେଇ ଆସିବା ଦରକାର ବୋଲି ମତପୋଷଣ କରିଥିଲେ । ସଭାର ଅନ୍ୟତମ ଅତିଥି ଶମ୍ଭୁନାଥ ପରିଡ଼ା, ଗବେଷିକା ଓ ସ୍ତମ୍ଭକାର ଡ଼. ଅନ୍ତର୍ଜିତା ନାୟକ ସଂସ୍କୃତି ଓ ପରମ୍ପରାର ଅବକ୍ଷୟ ଉପରେ ଆଲୋକପାତ କରିଥିଲେ । ମ୍ୟୁନିସିପାଲ ମହାବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ସୁଶ୍ରୀ ବୈଦେହୀ ମାଝୀ ସଂଯୋଜନା କରିଥିବା ବେଳେ ବାଜି ରାଉତ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୌଦାମିନୀ ମୁଦାଲି ଓ ସ୍ତମ୍ଭକାର ତଥା ଲେଖିକା ଡ଼. ଅନ୍ତର୍ଜିତା ନାୟକ ବିଚାରକ ଆସନରେ ରହି ବକ୍ତୃତାର ମୂଲ୍ୟାୟନ କରିଥିଲେ । ବରିଷ୍ଠ ସଦସ୍ୟ ଅନିଲ କୁମାର ଦାଶ, ଶଶଧର ପାତ୍ର, ସୁବ୍ରତ ମଲ୍ଲିକ, ଜଗନ୍ନାଥ ରାଉତ ଓ ଗଙ୍ଗାଧର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମ୍ୟୁନିସିପାଲ ମହାବିଦ୍ୟାଳୟର ଦୀପକ କୁମାର ସାହୁ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରସ୍ପିତା ପ୍ରିୟଦର୍ଶିନୀ ଓ ଇସ୍ପାତ ବିଦ୍ୟାମନ୍ଦିରର ଶୁଭସ୍ମିତା ସେନାପତି ବକ୍ତୃତା ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ । ସମସ୍ତ ପ୍ରତିଯୋଗିଙ୍କୁ ଅଂଶ ଗ୍ରହଣକାରୀ ପ୍ରମାଣପତ୍ର ଓ ବିଜେତାଙ୍କୁ ଫଳକ ପ୍ରଦାନ କରାଯାଇଥିଲା । ମହିଳା ଶାଖାର ସରସ୍ଵତୀ ପରିଡ଼ା ଓ ଦୁଇ ଜଣ ବିଚାରପତି ପ୍ରତିଯୋଗୀମାନଙ୍କୁ ଉପଦେଶ, ପରାମର୍ଶ ଓ ପ୍ରେରଣା ପ୍ରଦାନ କରିଥିଲେ । ଶେଷରେ ଅଂଶଗ୍ରହଣକାରୀ ସମସ୍ତ ପ୍ରତିଯୋଗୀଙ୍କୁ ଓ ମହାବିଦ୍ୟାଳୟ ମାନଙ୍କୁ ଉପଦେଷ୍ଟା ପ୍ରଫେସର ଡ. ସନାତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏହିପରି ଅଧିକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଅଛି ବୋଲି ଅନ୍ୟାନ୍ୟ ବକ୍ତାମାନେ ମତପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ବକ୍ତବ୍ୟ ଉଚ୍ଚକୋଟୀର, ତଥ୍ୟ ଭିତ୍ତିକ ଓ ଓଡ଼ିଆ ସଂସ୍କୃତି, ପରମ୍ପରା, ଐତିହ୍ୟ, ସ୍ୱାଭିମାନ ଏବଂ ଅସ୍ମିତା ଉପରେ ପର୍ଯ୍ୟବେସିତ ହୋଇଥିଲା ।